ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ : ୩ ଦିନ ହେଲା ମିଳୁନି ନାବାଳକର ପତ୍ତା

ନନ୍ଦିଘୋଷ ବ୍ୟୁରୋ: ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ । ୩ ଦିନ ପରେ ବି ମିଳୁନି ନିଖୋଜ ନାବାଳକର ପତ୍ତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବାରସର ପଞ୍ଚାୟତ ମୁଟୁରିଗଡ଼ ଗ୍ରାମରେ । ଏହି ଗ୍ରାମଟି ଗେଙ୍ଗୁଟି ନଦୀ କୂଳରେ ଅବସ୍ଥିତ । ଏଠାରେ ଆବଶକୀୟ ମୁତାବକ ନଳକୂପ ନଥିବାରୁ ସ୍ଥାନୀୟ ଲୋକେ ନଈ ଉପରେ ନିର୍ଭର କରିଥାନ୍ତି । ଗତ ଶୁକ୍ରବାର ଦିନ ମୁଟୁରିଗଡ଼ ଗ୍ରାମର ନାବାଳକ ଆକାଶ ମାଝୀ ନିଜ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କିଛି ସମୟ ପରେ ସାଙ୍ଗ ମାନଙ୍କ ଠାରୁ ଅଲଗା ହୋଇ ଗାଧୋଇବା ବେଳେ କୁମ୍ଭୀର ଟାଣି ନେଇ ଥିବା ସାଙ୍ଗମାନେ କହିଥିଲେ । ଆକାଶ ନମିଳିବାରୁ ପ୍ରଶାସନର ସହାୟତା ନେଇଥିଲେ ଗ୍ରାମବାସୀ । ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଓଡ୍ରାପ ଟିମର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । ଏପର୍ଯ୍ୟନ୍ତ ନାବାଳକର କୌଣସି ପତ୍ତା ମିଳିପାରିନାହିଁ ।