ଅପରାଧର ଦଲ ଦଲରେ ରାଉରକେଲା: ନାରୀ ଅସୁରକ୍ଷିତ, ବିପଦରେ ଧନଜୀବନ

ରାଉରକେଲା: ରାଉରକେଲାରେ ବିଗୁଡୁଛି ଆଇନ ଶୃଙ୍ଖଳା । ସହରରେ ମହିଳା ସୁରକ୍ଷିତ ନଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ଭିତରେ ଦୁଷ୍କର୍ମ ଓ ଭାଇଗିରି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ନିଜକୁ ମଣୁ ନଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ସଂଗଠନ । ସେପଟେ ଗତକାଲି ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

ବିଗୁଡୁଛି ରାଉରକେଲା ଆଇନଶୃଙ୍ଖଳା । ସୁରକ୍ଷିତ ନୁହନ୍ତି ମହିଳା ଓ ସହରବାସୀ । ମହିଳା ଗଣଦୁଷ୍କର୍ମ ସହ ଦିନ ଦ୍ବିପ୍ରହରରେ ବୁଲୁଛି ଖଣ୍ଡା । ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲା ମହିଳା ସଂଗଠନ । ସେପଟେ ରଘୁନାଥପାଲି ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଅତିରିକ୍ତ ଏସପି, ପୋଲିସ ଏସଡିପିଓଙ୍କ ନେତୃତ୍ବରେ ୪ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଗତ ୨୨ ତାରିଖ ରାତିରେ ଘଟିଥିଲା ଘଟଣା । ଏକ ବାର ନିକଟରୁ ନାବାଳିକାଙ୍କୁ ଉଠାଇ ନେଇ ପ୍ରଥମେ ଦୁଇଜଣ ଓ ପରେ ୩ ଜଣ ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ସାତତାଲା ଛକ ନିକଟସ୍ଥ ପାର୍କର ପଛ ପଟ ଏକ ଅନ୍ଧାରୁଆ ଜାଗାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଗତ କିଛିଦିନ ହେଲା ଅଶାନ୍ତ ହୋଇଛି ରାଉରକେଲା ସହର । କେଶରୀ ନଗରରେ ଗତ ୨୧ ତାରିଖ ରାତିରେ ୨୦ରୁ ଅଧିକ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଜଣେ ଯୁବକକୁ ଆକ୍ରମଣ କରି ଆହତ କରିବା ସହ ୬ଟି ଗାଡି ଭଙ୍ଗାରୁଜା କରିଥିଲେ । ସେହିପରି ଜନଗହଳିପୂର୍ଣ୍ଣ ବିଶ୍ରାଛକ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ନାବାଳିକାଙ୍କୁ ସେହିଦିନ ରାତିରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ୭ ଜଣ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବାବେଳେ ଏପର୍ଯ୍ଯନ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ସେହିପରି ୨୪ ତାରିଖରେ ରାଉରକେଲା ଷ୍ଟେସନ ରୋଡ ଅଞ୍ଚଳ ଏକ ଘରୋଇ ହାଇସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପୋଲିସ ପିଇଟି ଶିକ୍ଷକଙ୍କୁ ଗିରଫ କରିଛି । ବୁଧବାର ଦିନ ବନ୍ଧମୁଣ୍ଡା ଥାନାର ଆଇଆଇସି ଅଶୋକ ଦାସ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଆଇଜି । ଆଇଆଇସିଙ୍କୁ ଜିଲ୍ଲା ମୁଖ୍ଯାଳୟରୁ ବଦଳି କରାଯାଇଛି । ନୂଆ ସରକାର ଆସିବା ପରେ ସହରରେ ଆଇନ ଶୃଙ୍ଖଳା ବିଗିଡ଼ିଥିବା ବିଜେଡି ଅଭିଯୋଗ କରିଥିବାବେଳେ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ଓ ବିଭିନ୍ନ ସଂଗଠନ । ଏନେଇ ଡିଆଇଜିଙ୍କୁ ଦାବିପତ୍ର ଦିଆଯାଇଛି ।