ମାନସ ହତ୍ୟା ମାମଲା: ‘ସମ୍ପୂର୍ଣ୍ଣ’ ଅଫିସରେ କ୍ରାଇମସିନ୍ ରିକ୍ରିଏସନ୍, ଖୋଲିବ ମେମୋରୀ ଚିପ୍ ଗୁମର !

ଭୁବନେଶ୍ବର: କ୍ୟାମେରା ମ୍ୟାନ ମାନସ ସ୍ବେଇଁ ହତ୍ୟା ମାମଲାରେ ଆହୁରି ତଥ୍ୟ ଗୋଟାଉଛି କ୍ରାଇମବ୍ରାଞ୍ଚ । ‘ସମ୍ପୂର୍ଣ୍ଣ’ ଅଫିସରେ ପୁଣି କରାଯାଇଛି କ୍ରାଇମସିନ୍ ରିକ୍ରିଏସନ୍ । ହତ୍ୟାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ନେଇ ସମ୍ପୂର୍ଣ୍ଣ ଅଫିସରେ ସିନ୍ ରିକ୍ରିଏସନ୍ କରିଛି ତଦନ୍ତକାରୀ ଟିମ୍ ।

ମାନସଙ୍କୁ କାହିଁକି କରିଥିଲେ ହତ୍ୟା ? ମାମଲାରେ ନିରଞ୍ଜନର କେତେଦୂର ରହିଛି ସଂପୃକ୍ତି, ସେସବୁର ସତ କହିଛନ୍ତି ଅଭିଯୁକ୍ତ । ଏହାରି ଭିତରେ ନିରଞ୍ଜନ ପାଖରୁ କ୍ରାଇମ୍ ପ୍ଲଟର ଭିତିରି କଥା ବାହାର କରିବାକୁ କ୍ରାଇମବ୍ରାଞ୍ଚ ଟିମ ଲାଗି ପଡିଛନ୍ତି । ଆଜି ସେହି ବହୁ ଚର୍ଚ୍ଚିତ ମେମୋରୀ ଚିପ୍ ସମ୍ପର୍କରେ ମଧ୍ୟ ହୋଇପାରେ ଖୁଲାସା ।

ଶର୍ମିଷ୍ଠାଙ୍କୁ ଫେରାର କରିବାକୁ ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠା ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ । ଖାଲି ଟଙ୍କା ଦେଇ ନଥିଲା, ଫେରାର ହେବାକୁ ଗାଡି ମଧ୍ୟ ଯୋଗାଡ କରିଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କକିଆପାଣି ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଆପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛି ନିରଞ୍ଜନ ।

ଆଜି ସରୁଛି ରିମାଣ୍ଡ

ଆଜି ସରୁଛି ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନଙ୍କ 5 ଦିନିଆ ରିମାଣ୍ଡ । ତେବେ ରିମାଣ୍ଡର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଫେବ୍ରୁଆରୀ ୭ରେ ଭଦ୍ରକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଦୟାଲ ଆଶ୍ରମରେ ଦିଆଯାଇଥିଲା ନିର୍ଯାତନା । ହତ୍ୟା ପରେ ନୟାଗଡ଼ ବଧିପାଟଣାରେ ପୋତିଥିଲେ ମାନସ ମୃତଦେହ ।

ଗିରଫଦାରୀ ଏଡାଇବାକୁ ମାର୍ଚ୍ଚ ୧୪ରେ ଝୁନା ଭୋଇଙ୍କୁ ସାଙ୍ଗରେ ଧରି ଫେରାର ହୋଇଥିଲେ ଶର୍ମିଷ୍ଠା । ମାର୍ଚ୍ଚ 28ରେ ବସରେ କୋଲକାତାରୁ ଫେରୁଥିବା ବେଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା ପୋଲିସ । ଶର୍ମିଷ୍ଠା ଗିରଫ ହେବା ପୂର୍ବରୁ ନିରଞ୍ଜନକୁ ବାନ୍ଧିଥିଲା ପୋଲିସ । ମାନସ ହତ୍ୟା ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।