ନନ୍ଦିଘୋଷ ବ୍ୟୁରୋ : କ୍ରାଇମ କ୍ୟାପିଟାଲ ଭୁବନେଶ୍ୱର । ଭୁଶୁଡ଼ି ପଡିଛି ରାଜଧାନୀ ର ଆଇନଶୃଙ୍ଖଳା । ବିଧାନସଭା ସୁରକ୍ଷାରେ ପୋଲିସ ବ୍ୟସ୍ତ ଥିବା ବେଳେ ଘଟିଛି ଏକାଧିକ ଘଟଣା। କେଉଁଠି ଦୁର୍ବୁର୍ତ୍ତଙ୍କ ଆତଙ୍କରାଜ ତ ଆଉ ଯେଉଁଠି ଲୁଟେରାଙ୍କ ହଲ୍ଲାବୋଲ। ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ।
ବୁଲିଲା ଖଣ୍ଡା, ପଡିଲା ଚୋଟ ପରେ ଚୋଟ । ରଣକ୍ଷେତ୍ର ପାଲଟିଲା ଭଗବାନପୁର ଅଞ୍ଚଳ । କଳିଙ୍ଗବିହାର ଜୁଏଲାରୀରେ ସ୍ପ୍ରେ ମାରି ଲୁଟିଲେ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ ଝାମ୍ପିଲେ ସୁନା ଚେନ । ଅସୁରକ୍ଷିତ ରାଜଧାନୀ । କେଉଁଠି ହାଣିଲେଣି ତ ଆଉ କେଉଁଠି ଝାମ୍ପି ନେଇଗଲେ ସୁନାଚେନ । ତମାଣ୍ଡୋ ଥାନା ଭଗବାନପୁରରେ ଥିବା ଏକ କ୍ୟାଫେ ସମ୍ମୁଖର ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । ରାତି ପ୍ରାୟ ପାଖାପାଖି ୧୨ ଟା ସମୟରେ ୩ ଟି ବାଇକରେ ୬ ଜଣ ଆସୁଛନ୍ତି । କିଛି ବୁଝିବା ପୂର୍ବରୁ ଚକଚକ କରୁଥିବା ଖଣ୍ଡା, ଫାର୍ସାରେ ହାଣି ପକାଉଛନ୍ତି । ପୂର୍ବ ଶତ୍ରୁତାର ରାଗ ଏ କାର ଉପରେ ସୁଝାଇ ଚାଲିଛନ୍ତି । ଖଣ୍ଡା ଚୋଟରେ ରକ୍ତାକ୍ତ କରିଦେବା ପରେ ସେଠାରୁ ଚମ୍ପଟ ମାରୁଛନ୍ତି । ଆଉ ଏ ଘଟଣା ହେଉଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାରର । ମର୍ନିଂ ୱାକ୍ କରିବା ବେଳେ ସୁନା ଚେନ ଝାମ୍ପିନେଇଛନ୍ତି ଲୁଟେରା । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା ।
ଦୁଇ ଦୁଇଟି ଘଟଣା ପୋଲିସ ପାଇଁ ଚ୍ୟଲେଞ୍ଜ ସୃଷ୍ଟି କରିଥିବା ବେଳେ ଆଉ ଏକ ସଙ୍ଗିନ ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଥାନା ଅଞ୍ଚଳରେ । କଳିଙ୍ଗ ନଗର କେ-4 ଠାରେ ଥିବା ଏ ସୁନା ଅଳଙ୍କାର ଦୋକାନରୁ ପେପର ସ୍ପ୍ରେ ମାରି ଗରାଖ ବେଶରେ ଲୁଟେରା ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କାର ସୁନା ଗହଣା । ଏ ହେଉଛି ଲୁଟ ବେଳର ସିସିଟିଭି । ଭଉଣୀ ବାହାଘର କଥା କହି ବ୍ରେସଲେଟ ଓ ସୁନା ଚେନ ଦେଖିବା ପରେ ସେଲସମ୍ୟାନଙ୍କ ମୁହଁକୁ ସ୍ପ୍ରେ ମାରିଥିଲେ ଲୁଟେରା । ଆଉ ତା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୂର୍ବରୁ ଏ ଲୁଟେରା ଜଣଙ୍କ କିଛି ମାସ ତଳେ ଆସି ସୁନା କିଣିଥିବା କହିଛନ୍ତି ଜୁଏଲାରୀ ମାଲକାଣି । ସେପଟେ ତମାଣ୍ଡୋ ଥାନା ପୋଲିସ ସିସିଟିଭି ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ।

