୭ ଦିନିଆ ରିମାଣ୍ଡରେ ୫ ଅଭିଯୁକ୍ତ, ସତ ଓଗାଳିବ କ୍ରାଇମବ୍ରାଞ୍ଚ

Crime Branch Takes 5 Accused Of Drdo In 7 Days Remand

କଟକ: ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କେମିତି ହେଉଥିଲା ତଥ୍ୟ ଲିକ୍ ? ସୋସିଆଲ୍ ମିଡିଆରେ କେମିତି ହୋଇଥିଲା ବିଦେଶୀ ଏଜେଣ୍ଟଙ୍କ ସମ୍ପର୍କ । ଗୁପ୍ତ ତଥ୍ୟ ଦେବା ପାଇଁ ମିଳୁଥିଲା କେତେ ଟଙ୍କା ? ଅଭିଯୁକ୍ତଙ୍କ ଠାରୁ ସବୁକିଛି ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ । ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ୫ ଅଭିଯୁକ୍ତକୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଛି ।

୫ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୂଳରୁ ତଦନ୍ତ କରିବ । ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏତିରିକ୍ତ ଏସପିଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି । ଟିମରେ ଜଣେ ସାଇବର ଇନ୍ସପେକ୍ଟର, ଜଣେ ଏସଆଇ ରହିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Crime Branch Takes 5 Accused Of Drdo In 7 Days Remand

ରିମାଣ୍ଡ ଜେରା ବେଳେ ଅନେକ ଦିଗକୁ ନେଇ ଛାନଭିନ୍ କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କେବେଠାରୁ ତଥ୍ୟ ଯୋଗାଉଥିଲେ ଅଭିଯୁକ୍ତ ? କାହାକୁ ତଥ୍ୟ ଯୋଗାଉଥିଲେ ? କେଉଁପ୍ରକାର ତଥ୍ୟ ବାହାରକୁ ଲିକ୍ ହୋଇଛି ? ତଥ୍ୟ ବଦଳରେ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ? କିଏ ଟଙ୍କା ପଠାଇଛି ? ହନିଟ୍ରାପର ଶିକାର ହୋଇଛନ୍ତି କି ? ଯଦି ଶିକାର ହୋଇଛନ୍ତି ତେବେ ସେ ସୁନ୍ଦରୀ କିଏ ଓ କେଉଁଠାର ? ତଥ୍ୟ ଲିକ୍ ଘଟଣାରେ ପରିବାର କି ସମ୍ପର୍କୀୟଙ୍କର ସମ୍ପୃକ୍ତି ରହିଛି କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ ।

ତଦନ୍ତ ସମୟରେ ଆର୍ଥିକ କାରବାରର ଖୋଳତାଡ଼ ସହ ବୈଷୟିକ ଜ୍ଞାନକୌଶଳର ସହାୟତା ନେବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାରକୁ ଲିକ୍ ଅଭିଯୋଗ ପରେ ପ୍ରଥମେ ୪ ଜଣ ଠିକା କର୍ମଚାରୀ ଏବଂ ପରେ ଜଣେ ନିୟମିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

Leave a Reply