ଗୋପାଳର ଭଡ଼ାଘରେ ଲୁଚି ରହିଛି କି ହତ୍ୟା ଗୁମର, କ୍ରାଇମବ୍ରାଞ୍ଚର ଫୋକସରେ ବ୍ରଜରାଜନଗର ଭଡ଼ାଘର

ବ୍ରଜରାଜନଗର: ମାରାଥନ୍ ଜେରା, ତଥ୍ୟ ପ୍ରମାଣ ହାସଲ ପାଇଁ ନନଷ୍ଟପ୍ ଛାପା । ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୁ ନେଇ ବ୍ରଜରାଜନଗର କ୍ବାର୍ଟର୍ସରେ ଛାନଭିନ୍ । ଗୋପାଳର ଘରେ ଲୁଚି ରହିଛି କି ନବଦାସ ହତ୍ୟା ପଛର ରହସ୍ୟ । ଆଜି ରିମାଣ୍ଡର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି ବ୍ରଜରାଜନଗର ସ୍ଥିତ ଗୋପାଳର କ୍ବାର୍ଟର୍ସରେ । ବାହାରେ ପୋଲିସ ମୁତୟନ ହୋଇଛନ୍ତି ଆଉ ଭିତରେ ଚାଲିଛି ଖାନତଲାସୀ । ଗତକାଲି ଏୟାରପୋର୍ଟ ଥାନା ପରିସରରେ ଥିବା ପାଇଖାନାର ସେପଟିକ୍ ଟାଙ୍କିରୁ ତା ହାତ ଲେଖା ନୋଟକୁ ଜବତ କରିବା ପରେ ଆଜି କ୍ରାଇମବ୍ରାଞ୍ଚର ସନ୍ଦେହି ଆଖି ଘୂରି ବୁଲିଛି ତା ଭଡ଼ା ଘରେ । ଘରର ପ୍ରତିଟି ରୁମ୍, ପ୍ରତିଟି କୋଣ, ଆଲମାରୀ, ସୁଟକେସ୍ ଓ ସବୁ ଥାକକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । କାହିଁକି ନବଦାସଙ୍କୁ ଗୁଳି କରି ହତ୍ୟା କଲା ଗୋପାଳ । କାଳେ କେଉଁଠି ହତ୍ୟାର ପ୍ରମାଣ ଲୁଚାଇ ରଖିଥିବ ଗୋପାଳ । ସେଥି ପାଇଁ ପୋଲିସ୍ କୌଣସି କଥାକୁ ଅଣଦେଖା କରୁନାହିଁ ।

ସେପଟେ ହତ୍ୟାର ଚାରି ଦିନ ପରେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୁଳି । ଗତକାଲି ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି। ଜବତ ଗୁଳି ନବ କିଶୋରଙ୍କ ଦେହରେ ବାଜିଥିଲା ନା ନାହିଁ ତାହା ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବ୍କୁ ପଠାଯାଇଛି । ୨ଦିନ ଧରି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ କାର୍ ଯାଞ୍ଚ କରୁଥିଲେ । ଗତକାଲି କାରରୁ ଗୋଟିଏ ଗୁଳି ମିଳିଛି । ସେପଟେ ମୃତ ନବକିଶୋର ଦାସଙ୍କ ଇସିଜି ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି ।