ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ  ମାଡ଼ ମାରିବା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ପରେ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ ।  କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଭରତପୁର ଥାନାକୁ ଯାଇ ମାମଲା ସମ୍ପର୍କିତ କାଗଜପତ୍ର ନିଜ ଅଧୀନକୁ ନେଇଛି କ୍ରାଇମବ୍ରାଞ୍ଚ । ଥାନା ଅଧିକାରୀଙ୍କ ସମେତ ଘଟଣା ଦିନ ଉପସ୍ଥିତ ଥିବା ଡିସିଓଙ୍କୁ ପଚରାଉଚରା କରାଯାଇଛି ।

ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ବାହାରି ଆସୁଥିଲେ । ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ଥାନାରେ ଡିସିଓ ନଥିବାବେଳେ ଜଣେ ପୁରୁଷ କନଷ୍ଟେବଳ ବସିଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବା ପରେ ସେ ଶୁଣି ନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ପରେ ପାଟ୍ରେଲିଂ କରୁଥିବା ଭ୍ଯାନ ଆସି ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

କାହିଁକି ତାଙ୍କୁ ହାଜତରେ ରଖାଗଲା ବୋଲି ପ୍ରଶ୍ନ କରିବାରୁ ବାନ୍ଧବୀଙ୍କୁ ପୋଲିସ ଏକ ରୁମକୁ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ସେମାନଙ୍କୁ ପ୍ରଥମେ ଏମ୍ସ ଓ ପରେ କ୍ଯାପିଟାଲ ହସ୍ପିଟାଲକ ନେଇ ଚିକିତ୍ସା କରାଇଥିଲା । ସେମାନେ ଗୁରୁତର ଥିଲେ ମଧ୍ୟ ତାଙ୍କର କିଛି ହୋଇନାହିଁ ବୋଲି ପୋଲିସ ଦର୍ଶାଇଛି । ପୋଲିସ ମିଛ ମାମଲା ରୁଜୁ କରିଥିବା କହିଛି ଓଡିଶା ଅବସରପ୍ରାପ୍ତ ସେନା ସଂଘ । ଏଣୁ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି ।

ପୂର୍ବରୁ ବି ସେନା ଅଧିକାରୀଙ୍କ ଉପରେ ପୋଲିସ ଆକ୍ରମଣର ନଜିର ରହିଛି । କିନ୍ତୁ ଏ କ୍ଷେତ୍ରରେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଗତ ରଥଯାତ୍ରା ସମୟରେ ଓଡ଼ିଆ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ଯରେ ପ୍ରତିବାଦର ସ୍ବର ଉଠିଥିବାବେଳେ ଏଯାଏଁ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନି । ଯାହାକୁ ନେଇ ପୋଲିସ ଉପରେ ଅସନ୍ତୋଷ ବଢିବାରେ ଲାଗିଛି । ଖୋଦ ପୋଲିସ ଯଦି ଆକ୍ରମଣ କରିବ ତେବେ କାହା ଉପରେ ଭରସା ରହିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।