ସାରୁଅ ଦୁର୍ନୀତିର ହିସାବ ମାଗୁଛି କ୍ରାଇମବ୍ରାଞ୍ଚ, ଚଞ୍ଚକତା କରି ଶିବଙ୍କ ନାଁରେ କିଣା ଯାଇଥିଲା ପାଖାପାଖି ଶହେ ପ୍ଲଟ୍

ଭୁବନେଶ୍ୱର: ଦଳିତଙ୍କ ଜମି ହଡପ୍‌ର ମାଷ୍ଟରମାଇଣ୍ଡ କିଏ ? ଡ୍ରାଇଭର୍ ରବୀନ୍ଦ୍ର ସେଠୀ କିଣିଥିବା ଜମି ଓଡ଼ିଶା ଇନଫ୍ରାଟେକ ଖାତାକୁ କେମିତି ଗଲା ? ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କ ଠାରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ଦୁଇଦିନିଆ ରିମାଣ୍ଡର ପ୍ରଥମ ଦିନରେ ମାରାଥନ୍ ଜେରା କରିଛି ଅର୍ଥନୈତିକ ଅପରାଧ ଶାଖା ।  ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଗିଙ୍କ ଜମି ଦୁର୍ନିତିର ଅନେକ ଗୁମର ଖୋଲିଛନ୍ତି ମନୋରଂଜନ । ଆଇନ କହୁଛି, ଅନୁସୂଚିତ ଜାତି ଜନଜାତିର ଲୋକଙ୍କ ଜମିକୁ ଅନ୍ୟ କେହି କିଣି ପାରିବେ ନାହିଁ । ହେଲେ ରବୀନ୍ଦ୍ର ସେଠୀ କିଣିଥିବା ଜମି, ଓଡିଶା ଇନଫ୍ରାଟେକର ମାଲିକାନାକୁ ଯାଇଛି । ଆଉ ସେହି ପ୍ରମାଣକୁ ଆଧାର କରି କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ ବଢୁଛି ।

ସେପଟେ ମନୋରଂଜନଙ୍କ ପରେ ଆଜି ପାଳି ପଡ଼ିଛି ଓଡିଶା ଇନଫ୍ରାଟେକ୍‌ର ଆଉ ଜଣେ ଅଧିକାରୀଙ୍କର । ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ଶିବ ପ୍ରସାଦ । ଦେଖନ୍ତୁ ଏ ଦସ୍ତାବିଜ୍‌କୁ । ପାଖାପାଖି ଶହେ ପ୍ଲଟ୍‌ର ପାୱାର ଅଫ୍ ଆଟର୍ଣ୍ଣିଂ ରହିଛି ଶ୍ରୀଚନ୍ଦନଙ୍କ ନାଁରେ । ସୂଚନା କହୁଛି, ଦଳିତଙ୍କ ଜମି ହଡ଼ପ୍‌ର ଏ ଥିଲେ ଅନ୍ୟତମ ସୂତ୍ରଧର । ସେପଟେ ସାରୁଅ ଜମି ଦୁର୍ନିତି ଅସଲ କଥା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ।

ଦଳିତଙ୍କ ଜମି ହଡ଼ପ୍‌ କରି ସାରୁଅରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କ ସ୍ଥାପନ କରୁଥିଲା ଟିଭି ଦୁନିଆର ସାମ୍ରାଜ୍ୟ । କେତେବେଳେ ମିଡିଆର ଚାପରେ ତ କେତେବେଳେ ରାଜନୈତିକ ଷଡ଼ଯନ୍ତ୍ରରେ ଆଦିବାସୀଙ୍କ ଲୁହଲହୁ ଲୁଚି ଯାଉଥିଲା ଅଭାବି ମଣିଷର ଜମି ତଳେ । ହେଲେ ଏବେ ସତ ପଦାକୁ ଆସିଛି । ଖୋଲିଛି ବୈଜୟନ୍ତ ଓ ଜଗିମଙ୍ଗତ ପଣ୍ଡାଙ୍କ ଅସଲ ମୁଖା । ଆଉ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି କରିଛନ୍ତି ଷଣ୍ଢୁଆଶୀ ଆକ୍ରମଣ ।

ସେପଟେ ସାରୁଅ ଜମି ଦୁର୍ନୀତି ପଦାକୁ ଆସିବା ପରେ ସାରା ରାଜ୍ୟରେ ଦଳିତ ତାତିଛନ୍ତି । ଖୋଲିଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଅସଲ ଚେହେରା । ଏବେ ମିଡିଆକୁ ଢାଲ କରି ପଣ୍ଡା ଦମ୍ପତି ଖସି ଯିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚରେ କଂପାନୀର ବଡ଼ ମାଛ ପଡ଼ିବା ପରେ ଏବେ ଅନ୍ୟ କର୍ମଚାରୀଙ୍କ ହୃଦକଂପନ ଆରମ୍ଭ ହୋଇଯାଇଛି ।

Leave a Reply