ବାହାବେଦିରୁ ମଶାଣି ଯାଏଁ, ମାସକର ସଂପର୍କକୁ ନେଇ ମୂଳରୁ ଖୋଲତାଡ଼ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବିଦ୍ୟାଶ୍ରୀଙ୍କ କବାଟ ଠକ୍ ଠକ୍ କଲା କ୍ରାଇମବ୍ରାଞ୍ଚ । ଆରମ୍ଭ କଲା ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପାମାଆଙ୍କୁ ଜେରା । ଆଦିତ୍ୟ ମୃତ୍ୟୁର କାରଣ ପଚାରିଲେ ତଦନ୍ତକାରୀ ଟିମ୍ । କେମିତି ହେଲା ମୃତ୍ୟୁ ? ମୂଳରୁ ଖିଅ ଖୋଜିଛି କ୍ରାଇମବ୍ରାଞ୍ଚ । ଘଣ୍ଟା ଘଣ୍ଟା ଧରି ଜେରା ଆଜି ଜେରାର ସମ୍ମୁଖିନ ହୋଇଛନ୍ତି ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବାପା ଏବଂ ମାଆ । ପତିପତ୍ନୀଙ୍କ ମଧ୍ୟରେ କଣ ହୋଇଥିଲା ଜୁଲାଇ ୬ ତାରିଖରେ ? କଳିର କାରଣ କଣ ? ମୃତ୍ୟୁର ୫ ଦିନ ପୂର୍ବରୁ ନବଦମ୍ପତିଙ୍କ ମଧ୍ୟରେ କଣ ଚାଲିଥିଲା ? ମାନିସକ ଚାପରେ ଥିଲେ କି ଆଦିତ୍ୟ ? ସେବାଶ୍ରମ ଟଙ୍କାକୁ ନେଇ ମଧ୍ୟ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ ।
ଜିଆରପି ଠାରୁ ତଦନ୍ତର ସମସ୍ତ ଦସ୍ତାବିଜ ସଂଗ୍ରହ କରିବା ପରେ ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ସୁଇସାଇଡ୍ ନୋଟ୍ରେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାଁନ୍ତି । ସେପଟେ ଟ୍ରେନ୍ ଡ୍ରାଇଭର କହୁଛନ୍ତି ଦୁର୍ଘଟଣା ଘଟିଛି ଲିଙ୍ଗରାଜ ଷ୍ଟେସନରେ । ତେଣୁ କେମିତି ପ୍ରାଣ ହରାଇଲେ ମାନବପ୍ରେମୀ, ସେହି ରହସ୍ୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ୍ ।
ତେବେ ତଦନ୍ତକୁ ମୂଳରୁ ଆରମ୍ଭ କରିବା ସହ ପୁଣି ଥରେ ଲୋକପାଇଲଟଙ୍କୁ ଜେରା କରିବ କି କ୍ରାଇମବ୍ରାଞ୍ଚ । ପପୁ, ବିକାଶ, ପ୍ରୀତମଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିବା ବେଳେ ବିଦ୍ୟାଶ୍ରୀଙ୍କୁ କରାଇବ କି ଫେସ୍ ଟୁ ଫେସ୍ । ସେପଟେ ସାରା ରାଜ୍ୟର ନଜର କ୍ରାଇମବ୍ରାଞ୍ଚର ତ୍ୱରିତ ତଦନ୍ତ ଉପରେ । କାରଣ ସମୟ ଯେତେ ଗଡୁଛି, ଆଦିତ୍ୟ ମୃତ୍ୟୁ ମାମଲା ସେତିକି ରହସ୍ୟମୟ ହେଉଛି ।
(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)