ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା, କ୍ରାଇମବ୍ରାଞ୍ଚକୁ ମିଳୁନି ଗୋପାଳ ମାରିଥିବା ଗୋଟିଏ ଗୁଳି

ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଜାରି କଲା ପ୍ରେସ ରିଲିଜ୍ । ନବ ଦାସଙ୍କୁ ଗୋପାଳକୃଷ୍ଣ ମାରିଥିବା ଗୋଟିଏ ଗୁଳି ଏଯାଏଁ ମିଳୁନି ବୋଲି କହିଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ନବ ଦାସ ବ୍ୟବହାର କରିଥିବା ଗାଡିର ଯାଞ୍ଚ ଚାଲିଛି । ଗୋପାଳକୃଷ୍ଣର ସ୍ବାସ୍ଥ୍ୟଗତ ରେକର୍ଡ ଓ ଆର୍ଥିକ କାରବାରର ଯାଞ୍ଚ ହେଉଛି । ଆଜି ବି ଗୋପାଳକୃଷ୍ଣଙ୍କ ସବୁ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ । ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ଜବତ ହୋଇଛି । ହାତଲେଖା କାଗଜ ଖଣ୍ଡ ଗୁଡ଼ିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରୁ ନନଷ୍ଟପ୍ ପାଇଖାନା ଟାଙ୍କିକୁ ଛାଣି ଛାଣି ପୋଲିସ୍ ସଂଗ୍ରହ କରିଛି ସେହି ହାତଲେଖା କାଗଜକୁ । ଆଉ ମିଳିବା ମାତ୍ରେ ତାକୁ ଖରାରେ ଶୁଖାଇଛି । ଲାଲ୍ ସ୍ୟାହିରେ ଉଭୟ ଇଂରାଜୀ ଓ ଓଡ଼ିଆରେ କିଛି ଲେଖାଯାଇଛି ।

ସେପଟେ ଦ୍ୱିତୀୟ ଥର ପାଇଁ ନବକିଶୋରଙ୍କ ସରକାରୀ ଗାଡ଼ିକୁ ଯାଞ୍ଚ କରିଛି ତଦନ୍ତକରୀ ଟିମ୍ । ବାଲିଷ୍ଟିକ୍ ଓ ଫରେନସିକ୍ ଏକ୍ସପର୍ଟ ଟିମ୍ ତନ୍ନ ତନ୍ନ କରି ଗୁଳିବିଦ୍ଧ ଗାଡିର ଯାଞ୍ଚ କରିଛନ୍ତି । ୪ ଦିନିଆ ରିମାଣ୍ଡର ଦ୍ବିତୀୟ ଦିନରେ ଗୋପାଳକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ନବ କିଶୋରଙ୍କୁ ହତ୍ୟା ପୂର୍ବରୁ ଯୋଜନା କରିଥିଲା କି ? ଏନେଇ ଆଉ କାହା ସହ ଆଲୋଚନା କରିଥିଲା ? କ’ଣ ଥିଲା ହତ୍ୟାକାଣ୍ଡର ପ୍ରକୃତ କାରଣ ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । ଗୋପାଳକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଓ ତଦନ୍ତକାରୀ ଟିମ୍ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି । ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ହାତରେ ଆଉ ମାତ୍ର ଦୁଇ ଦିନ ଥିବାବେଳେ, ନବ କିଶୋର ହତ୍ୟା ଘଟଣାର ମୁଖ୍ୟ ବିନ୍ଦୁରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ । ଜେରା ପରେ ଅଭିଯୁକ୍ତ ଗୋପାଳକୁ ଗାନ୍ଧି ଛକକୁ ନେଇ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ ।