ସୁସ୍ଥ ହେଉଛନ୍ତି କ୍ରିକେଟର ଋଷଭ ପନ୍ତ, ଟ୍ୱିଟରରେ ଫ୍ୟାନ୍ସଙ୍କୁ ଦେଲେ ବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ଅମାବାସ୍ୟାର ଅନ୍ଧାର ଦୂର ହୋଇଛି,   ନୂଆ ଜୀବନ ପାଇଛନ୍ତି କ୍ରିକେଟର ଋଷଭ ପନ୍ତ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି…ଲିଗାମେଣ୍ଟ ସର୍ଜରି ସଫଳ ହୋଇଛି । ଏଥିପାଇଁ ନିଜ ଫ୍ୟାନ୍ସ, ସାଥି ଖେଳାଳି, ଡାକ୍ତର ଓ ବିସିସିଆଇ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଋଷଭ । ଭୟାବହ ସଡକ ଦୁର୍ଘଟଣାରୁ ବର୍ତ୍ତିବା ପରେ ପ୍ରଥମ ଥର ପାଇଁ ଟ୍ୱିଟରକୁ ଆସିଛନ୍ତି ପନ୍ତ । ତିନୋଟି ଟ୍ୱିଟ କରି ସେ ଧନ୍ୟବାଦ ଜଣାଇଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି, ହୋଇପାରେ ମୁଁ ବ୍ୟକ୍ତିଗତ ରୂପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନପାରେ, କିନ୍ତୁ ମୁଁ ଏହି ଦୁଇ ହିରୋ ରଜତ କୁମାର ଏବଂ ନିଶୁ କୁମାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏମାନେ ଦୁର୍ଘଟଣା ସମୟରେ ମୋର ସହାୟତା କରିଥିଲେ ଏବଂ ସୁନିଶ୍ଚିତ କରିଥିଲେ ଯେ ମୁଁ ସୁରକ୍ଷିତ ରୂପରେ ହସ୍ପିଟାଲ ପହଞ୍ଚି ଯାଏ । ଧନ୍ୟବାଦ ମୁଁ ସବୁବେଳେ ଋଣୀ ରହିବି ।  ସେହିପରି ଅନ୍ୟ ଏକ ଟ୍ୱିଟରେ ପନ୍ତ ଲେଖିଛନ୍ତି, ମୁଁ ସମସ୍ତଙ୍କ ସମର୍ଥନ ଏବଂ ଶୁଭକାମନା ପାଇଁ ବିନମ୍ର ଏବଂ ଋଣି ଅଟେ । ବାସ୍ ସମସ୍ତଙ୍କୁ ଜଣାଇବାକୁ ଚାହେଁ ଯେ ମୋର ସର୍ଜରୀ ସଫଳ ହୋଇଛି ।

ମୁଁ ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେଉଛି । ବିସିସିଆଇ, ଜୟ ଶାହ ଓ ସରକାରଙ୍କୁ ଧନ୍ୟବାଦ । ହୃଦୟରୁ ମୋର ସମସ୍ତ ଫ୍ୟାନ୍ସ ଏବଂ ଡାକ୍ତର ଓ ସହଖେଳାଳିଙ୍କୁ ଧନ୍ୟବାଦ ଦେଉଛି, ଅସମୟରେ ସେମାନେ ମୋତେ ଧୌର୍ଯ୍ୟ ଏବଂ ଉତ୍ସାହିତ କରିଥିଲେ । ଖୁବଶୀଘ୍ର ପଡ଼ିଆରେ ଦେଖାହେବ । ସୂଚନାଥାଉକି ଗତ ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ରୁରକି ଯାଉଥିବା ବେଳେ ସଡ଼ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ ।

ପରେ ତାଙ୍କୁ ଡେରୁଡୁନସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଲିଗାମେଣ୍ଟ ସର୍ଜରି ପାଇଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଥିଲା । ବିସିସିଆଇ ତାଙ୍କର ସବୁ ଖର୍ଚ୍ଚ ବହନ କରିଥିବା ବେଳେ ଡାକ୍ତର ଦିନଶ ପର୍ଦ୍ଦିୱାଲାଙ୍କ ନୀରିକ୍ଷଣରେ ତାଙ୍କର ସଫଳ ସର୍ଜରୀ ହୋଇଛି । ଆଗାମୀ ଆଇପିଏଲ୍ ସିଜିନରେ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଚଳିତ ବର୍ଷର ଏକାଧିକ ଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡ଼ିବା ନେଇ ଆଶଙ୍କା କରାଯାଉଛି…