୨୦ରେ କୋଭିଡ ଦାଗ ; କଲବଲ କ୍ରିକେଟ, ନିରାଶ ପ୍ରଂଶସକ

1 min read

ବିତିବାକୁ ବସିଛି ବର୍ଷ, କିନ୍ତୁ ଲିଭୁନି ଦାଗ । ସମୟର ଶେଷ ସୋପାନରେ ମଧ୍ୟ ଲେଲିହାନ ମୁହଁର ଲୋହିତ ପ୍ରତିଛବିକୁ ଦେଖାଇବାକୁ ଭୁଲି ନାହିଁ ବର୍ଷ ୨୦୨୦ । ଆରମ୍ଭରୁ ମଳୟ ପରସରେ କୋମଳତାର ବାର୍ତ୍ତା ବହିଆଣିଥିଲା ଏହି ବର୍ଷ । କିନ୍ତୁ ଏସବୁରେ ଘଟିଥିଲା ଏକ ବୈପ୍ଲବିକ ପରିବର୍ତ୍ତନ । ସବୁ ପ୍ରତିଶ୍ରୁତିକୁ ପଛକୁ ପକାଇ ମାନବ ସମାଜ ଉପରେ ହଠାତ ହୋଇଉଠିଥିଲା ପ୍ରତିଶୋଧ ପରାୟଣ । ଅଦୃଶ୍ୟ ମହାମାରୀ କୋଭିଡ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ, ପ୍ରତିଟି କାର୍ଯ୍ୟରେ ଛାଡିଛି ଅଲିଭା ଛାପ । ଏଥିରୁ ବା କେମିତି ବର୍ତ୍ତି ପାରିଥାଆନ୍ତା କ୍ରୀଡା ବା କ୍ରିକେଟ ଜଗତ । ବର୍ଷ ୨୦୨୦ର ଚର୍ଚ୍ଚିତ ଘଟଣାକୁ ନେଇ ଏହି ସ୍ବତନ୍ତ୍ର ଆଲେଖ୍ୟ ‘କ୍ରିକେଟରେ କୋଭିଡ’

କ୍ରିକେଟ ପ୍ରତି ରୂଚୀ ରଖୁଥିବା ବ୍ୟକ୍ତିଙ୍କ ଅପେକ୍ଷା କ୍ରିକେଟ ପ୍ରଶଂସକ ବିଶ୍ବରେ ସର୍ବାଧିକ । ଆଉ ଏହି ପ୍ରଶଂସକଙ୍କୁ ନିରାଶ କରିଛି କ୍ରିକେଟ । କାରଣ ଆରମ୍ଭରୁ ବାତିଲ ହୋଇଥିଲା ଟ୍ବେଣ୍ଟି୨୦ ବିଶ୍ବକପ । ଉହାନରୁ ଆରମ୍ଭ ହୋଇ ଅଷ୍ଟ୍ରେଲିଆରେ ପହଁଚି ଯାଇଥିଲା କୋଭିଡ-୧୯ । ଏହାର ଭୟବହତା ଏତେ ମାତ୍ରାଧିକ ରହିଥିଲା ଯେ, ଆୟୋଜନ କରିବାକୁ ଭୟ କରିଥିଲା ଆଇସିସି । ଫଳରେ ଆଶା ଆଶଙ୍କାରେ ପୂର୍ଣ୍ଣଛେଦ ପଡି ସ୍ଥଗିତ ରହିଥିଲା ଟି-୨୦ ୱାର୍ଲ୍ଡକପ । ଏହାସହ ଅଚାନକ ବିଦାୟ ନେଇଥିଲେ ଅନେକ ଦାମୀ ବ୍ୟାଟ୍ସମ୍ୟାନ ।

 

ନିରାଶା କରିଥିଲା ୱାର୍ଲ୍ଡକପ:-
ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବା ନେଇ ସ୍ଥିର ହୋଇଥିଲା କାର୍ଯ୍ୟସୂଚୀ। ତେବେ ସମଗ୍ର ବିଶ୍ୱରେ କରୋନାର ଲହର ଲାଗି ରହିଥିବାରୁ ଅଷ୍ଟ୍ରେଲିଆରେ ଉକ୍ତ ମେଗା ପ୍ରତିଯୋଗିତା ଆୟୋଜନ ନେଇ ସୃଷ୍ଟି ହୋଇଥିଲା ଆଶଙ୍କା । ଟ୍ବେଣ୍ଟି୨୦ ବିଶ୍ବକପ ଘୁଞ୍ଚିବା ମଧ୍ୟ ଏକପ୍ରକାର ନିଶ୍ଚିତ କରାଯାଉଥିଲା । ପୂର୍ବରୁ ଏସିଆ କପ୍‌ ଭଳି ପ୍ରତିଯୋଗିତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଥିଲା। ତେଣୁ ଶେଷ ସମୟରେ ଟ୍ବେଣ୍ଟି୨୦ ବିଶ୍ବକପ ଘୁଞ୍ଚିବା ନେଇ ନିଷ୍ପତି ନେଇଥିଲା ଆଇସିସି ।

ସମ୍ଭାବନା ଭିତରେ ଆଶା ଭରିଥିଲା IPL:
ଗୋଟେପଟେ କୋଭିଡର ପ୍ରାଦୁର୍ଭାବ । ଅନ୍ୟପଟେ ଲକଡାଉନ ଏବଂ ସଟଡାଉନର ସଟର ଭିତରେ ସନ୍ତୁଳି ହେଉଥିଲେ ସାଧାରଣ ଲୋକେ । କିନ୍ତୁ ଏଭଳି ମୂହୂର୍ତ୍ତରେ ନିରାଶା ଭିତରେ ଆଶା ଭରିଥିଲା ଭାରତର ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଟ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । ହଁ- ନାହିଁ ର ବାଜି ଭିତରେ ବାଜିଗର ସାଜିଥିଲା ହଁ । ଭାରତ ବଦଳରେ ସାଉଦି ଆରବରେ ଆୟୋଜିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ପ୍ରଶଂସକଙ୍କ ପ୍ରତିକ୍ରିୟାରେ ପୂରି ଉଠୁଥିବା ଷ୍ଟାଡିୟମକୁ କିନ୍ତୁ ଖୋଦ ପ୍ରଶଂସକଙ୍କୁ କରାଯାଇଥିଲା ବାରଣ । ଏବଂ ଆରମ୍ଭ ହୋଇଥିଲା IPL ।

ଆଇପିଏଲର ୧୩ ତମ ସଂସ୍କରଣକୁ ବାଜି ମାରିନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଜାହିର କରିଥି଼ଲା ମୁମ୍ବାଇ । ଫାଇନାଲ ମ୍ୟାଚରେ ୧୫୭ ରନର ବିଜୟ ଲକ୍ଷକୁ ୧୮.୪ ଓଭରରେ ସମାପ୍ତି କରିଥିଲା ଦଳ । ଏବଂ ପ୍ରତିପକ୍ଷ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ କରିଥିଲା ପରାସ୍ତ । ଶେଷରେ ବିଦେଶ ମାଟିରେ ଉଡାଇଥିଲା ପଞ୍ଚମ ଥରର ବିଜୟ ଧ୍ୱଜା ।

ବିଜୟ ରେକର୍ଡ:

ଟିମ                               ବିଜୟ                                                 ମସିହା
*ମୁମ୍ବାଇ ଇଣ୍ଡିଆନ୍ସ            ୫ଥର                              ୨୦୧୩,୨୦୧୫,୧୦୧୭,୧୦୯ ଏବଂ ୨୦୨୦
*ଚେନ୍ନାଇ ସୁପର କିଙ୍ଗ୍ସ        ୩ଥର                             ୨୦୧୦, ୨୦୧୧,୨୦୧୮
*କେକେଆର                   ୨ଥର                              ୨୦୧୨,୨୦୧୪
*ସନରାଇଜର୍ସ ହାଇଦ୍ରାବାଦ ୨ଥର                               ୨୦୦୯,୨୦୧୬
*ରାଜସ୍ଥାନ ରୟାଲ୍ସ             ୧ଥର                               ୨୦୦୮

ଧୋନି ଯୁଗରେ ଯବନିକା:
ଲମ୍ବା କେଶ ଓ ପତଳା ଶରୀରରେ ପଡିଆକୁ ଅବତୀର୍ଣ୍ଣ ହୋଇଥିଲେ ମହେନ୍ଦ୍ର ସିଂହ ଧୋନି(ମାହି) । ୧୬ ବର୍ଷ ବୟସରେ ଅନ୍ତ୍ରଜାତୀୟ କ୍ରିକେଟରେ କରନ୍ତି ବ୍ରେକ । ଖୁବ ସ୍ବଳ୍ପ ସମୟରେ ଭାରତୀୟ କ୍ରିକେଟରେ ନିଜର ପ୍ରତୀମୂର୍ତ୍ତିକୁ ନିଜେ ନିର୍ମାଣ କରିବାରେ ସଫଳ ହୋଇଥିଲେ । ପ୍ରଂଶସକ ହୃଦୟରେ ରାଜ କରିଥିଲେ । ଟିମ ଇଣ୍ଡିଆକୁ ପ୍ରତିନିଧିତ୍ବ କରୁଥିବା ମାହିଙ୍କ ଥଣ୍ଡା ମିଜାଜ ଏବଂ ମିଠା କଥାରେ ଫିଦା ହୋଇପଡିନ୍ତି ପ୍ରଶଂସକ । କିନ୍ତୁ ୨୦୧୯ ୱାଲ୍ଡକପର ସେମିଫାଇନାଲରେ ଦଳ ପରାଜିତ ହେବା ପରେ ଆଉ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିନାହାନ୍ତି ଧୋନି । କିନ୍ତୁ ଦେଶର ୭୪ ତମ ସ୍ୱାଧିନତା ଦିବସରେ ଧୋନି ନେଇଥିବା ନିଷ୍ପତି ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର ଏହି ଭେଟରାନ ବ୍ୟାଟ୍ସମ୍ୟାନ ।

ଅଗଷ୍ଟ ୧୫ ସଂଧ୍ୟା ୭ଟା ୨୯ ମିନିଟରେ ଇନଷ୍ଟ୍ରାଗ୍ରାମ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ କ୍ୟାପଟେନ କୁଲ। ଅର୍ଥାତ୍ ଦିନିକିଆ ଓ ଟି-୨୦ଟି ମ୍ୟାଚରେ ଭାରତୀୟ ଜର୍ସି ପିନ୍ଧି ଆଉ ପଡ଼ିଆକୁ ଓହ୍ଲାଇବେ ନାହିଁ । ତେବେ ଆଇପିଏଲରେ ସେ ତାଙ୍କ ଜଲୱା ଜାରି ରଖିବେ ବୋଲି ନେଇଥିଲେ ନିଷ୍ପତି । ଶେଷରେ ଧୋନିଙ୍କ ଏହି ଅବସରରେ ଭାବ ବିହ୍ୱଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ । ଦେଶ ମାତୃକାର ମହିମାକୁ ଉଚ୍ଚ କରିଥିବା ମାହିଙ୍କ ଭୂମିକାକୁ ଚିଠି ମାଧ୍ୟମରେ ଉପସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମାହିଙ୍କ ମହା ରେକର୍ଡ:

* ବିଶ୍ବର ଏକମାତ୍ର ଅଧିନାୟକ ଭାବେ ଟି-୨୦ ବିଶ୍ବକପରେ ୩ଟି ଟ୍ରଫି
*୨୦୦୭, ୨୦୧୧ ଏବଂ ୨୦୧୩ରେ ଭାରତକୁ କରିଛନ୍ତି ବିଜୟୀ
*୩୩୨ ଇଣ୍ଟରନ୍ୟାସନାଲ ମ୍ୟାଚ
*୨୦୦ ଦିନିକିଆ, ୬୦ଟି ଟେଷ୍ଟ, ୭୨ଟି ଟି-୨୦
*ମଲ୍ଟି ନ୍ୟାସନ ଦିନିକିଆରେ ସଫଳ ଭାରତୀୟ
*୮୪ଟି ଦିନିକିଆରେ ନଟ ଆଉଟ
*୮୪ଟି ନଟଆଉଟରୁ ୪୭ଟି ମ୍ୟାଟରେ ଭାରତ ବିଜୟୀ
* ଅନ୍ତର୍ଜାତୀୟ ମ୍ୟାଟରେ ଷ୍ଟେପିଙ୍କ କରିବାରେ ବିଶ୍ୱ ରେକର୍ଡ

ଅଲରାଉଣ୍ଡର ରୈନାଙ୍କ ଅଲବିଦା:

ଧୋନୀଙ୍କ ପରେ ଅନ୍ୟତମ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ କ୍ରିକେଟରୁ ନେଇଛନ୍ତି ଅବସର । ନିଜ ଇନ୍ଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରି ସୂଚନା ଦେଇଥିଲେ ସୁରେଶ । ସେହିପରି ଧୋନିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣଙ୍କ ସହ ଖେଳିବା ବେଶ ଗୌରବର କଥା । ଏହା ମୋତେ ଗର୍ବରେ ଭରି ଦେଇଛି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅବସର ଘୋଷଣା କରିବାର ଅଳ୍ପ ସମୟ ପରେ ଟିମ୍ ଇଣ୍ଡିଆର ମଧ୍ୟମକ୍ରମର ବ୍ୟାଟସମ୍ୟାନ ସୁରେଶ ରାଇନା ମଧ୍ୟ ଏଭଳି ପୋଷ୍ଟ କରି ଅବସରର ନେଇଥିଲେ । । ଉତ୍ତରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରୈନା ବିଶ୍ୱସ୍ତରରେ କ୍ରିକେଟ ଜଡଗତରେ ବେଶ ନାଁ କରିଛନ୍ତି ।

ରୈନାଙ୍କ ରେକର୍ଡ:

*୨୦୦୫ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ବ୍ୟାଟିଂ
* କାମଚଳା ସ୍ପିନ ବୋଲିଂ, ଦ୍ରୁତତମ ରନ ସଂଗ୍ରହ, ଜବରଦସ୍ତ ଫିଲଡିଂରେ ପରିଚିତ
*ଭାରତ ପାଇଁ ଖେଳିଛନ୍ତି ୧୮ଟି ଟେଷ୍ଟ,
* ୨୨୬ ଏକ ଦିବସୀୟ ଓ ୭୮ଟି ଟି-୨୦ ମ୍ୟାଚ
* ଅନ୍ତର୍ଜାତୀୟ କ୍ରିକେଟରେ ୭ ହଜାରରୁ ଅଧିକ ରନ
* ଖେଳିଥିବା ୧୮ଟି ଟେଷ୍ଟ ମ୍ୟାଚରୁ ୭୬୮ ରନ
* ୨୨୬ଟି ଅନ୍ତର୍ଜାତୀୟ ଏକଦିବସୀୟରୁ ୫୬୧୫ ରନ

ସନ୍ୟାସ ନେଲେ ପଠାନ-ପାଟିଲ:
ବର୍ଷ ଆରମ୍ଭରୁ ଅର୍ଥାତ ଜାନୁୟାରୀ ୪ ତାରିଖରେ ଅବସର ଗ୍ରହଣ କରିଥିଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ । ୧୬ ବର୍ଷର କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ ପଠାନ । ସେହିପରି ଅନ୍ୟତମ ଯୁବ କ୍ରିକେଟର ପାର୍ଥିବ ପଟେଲ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମାତ୍ର ୧୭ ବର୍ଷରେ ଭାରତ ପାଇଁ ଖେଳିଥିବା ପାର୍ଥିବ ୩୫ ବର୍ଷ ବୟସରେ ପେଶାଦାର କ୍ରିକେଟକୁ କରିଛନ୍ତି ବାଏ ବାଏ । ଟ୍ୱିଟର ଜରିଆରେ ଅବସର ନେବା ନେଇ ସୂଚନା ଦେଇଛନ୍ତି ଏହି ଯୁବ କ୍ରିକେଟର ।

ଆଡିଲେଡରେ ଅଲୋଡା ରେକର୍ଡ:
କ୍ରିକେଟ ଇତିହାସରେ ଭାରତୀୟ ଦଳ ପାଇଁ ଥିଲା ସବୁଠାରୁ ଲଜ୍ଜାଜନକ ଦିନ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ପାଳିରେ ମାତ୍ର ୩୬ ରନରେ ଅଟକି ଯାଇଥିଲା ଭାରତୀୟ ଦଳ । ଟେଷ୍ଟ ମ୍ୟାଚ୍‌ରେ କୌଣସି ଦଳ ବିପକ୍ଷରେ କରାଯାଇଥିବା ସ୍କୋର ମଧ୍ୟରେ ଏହା ସବୁଠାରୁ କମ୍ । ପ୍ରଥମ ଇଂନିସରେ ଅଗ୍ରଣୀ ଥିବା ୫୩ ରନ୍ ଏବଂ ଦ୍ୱିତୀୟ ପାଳିର ୩୬ ରନ୍ ମିଶାଇଲେ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ଥିଲା ୯୦ ରନ୍ । ଯାହାକୁ ସହଜରେ ଭାବେ ହାସଲ କରିବାରେ ସକ୍ଷମ ହୋଇଥିଲା କଙ୍ଗାରୁ ବାହିନୀ । ଏବଂ ଏହି ମ୍ୟାଟ ଭାରତର ରେକର୍ଡରେ ଟାଣିଥିଲା ଏକ କଳା ଗାର ।

ମୈଦାନ ମୁହାଁ ୟୁଭି:

ଦୀର୍ଘ ଦିନର ନିରାଶା ଭିତରେ ପ୍ରଶଂସକଙ୍କ ମୁହଁରେ ହସ ଆଣିଥିଲେ ଯୁବରାଜ ସିଂହ । ବିଶ୍ୱକପ୍‌ ବିଜେତା ପୂର୍ବତନ ଅଲରାଉଣ୍ଡର ଯୁବରାଜ ଅବସର ନେଇଛନ୍ତି ସତ, କିନ୍ତୁ ପଡିଆକୁ ଓହ୍ଲାଇବା ମଧ୍ୟ ଏକପ୍ରକାର ସ୍ପଷ୍ଟ । ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ୍‌ ଅଲ୍ଲୀ ପାଇଁ ପଞ୍ଜାବ ଦଳର ୩୦ ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ ହୋଇଛି ଯୁବରାଜ ।

PCA ସଚିବଙ୍କ ଅନୁରୋଧକ୍ରମେ ଯୁବରାଜ ସୟଦ ମୁସ୍ତାକ୍‌ ଅଲ୍ଲୀ ପାଇଁ ମନବଳାଇଥିବା ଜଣାପଡିଛି । ୨୦୧୧ ବିଶ୍ୱକପ୍ ର ‘ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ସାଜିଥିଲେ ଯୁବରାଜ । ୨୦୧୯ ଜୁନ୍‌ରେ କ୍ରିକେଟ୍‌ରୁ ଅବସର ନେବା ସହ ସବୁଦିନ ପାଇଁ କ୍ରିକେଟକୁ ଅଲବିଦା କହିଥିଲେ ୟୁଭି। ହେଲେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ର ସଚିବ ପୁଣେ ବାଲିଙ୍କ ଅନୁରୋଧ କ୍ରମେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି ।

ଅଧାରେ ଅଟକିଲା ଇଂଲଣ୍ଡ-ଆଫ୍ରିକା ସିରିଜ:


ଦୁଇ ଦେଶ ମଧ୍ୟରେ ସରିଥିଲା ଟି-୨୦ ସିରିଜ । ପରେ ଆରମ୍ଭ ହୋଇସାରିଥିଲା ଦୁଇ ଦେଶରେ ଦିନିକିଆ ସିରିଜ । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ସାଉଥ ଆଫ୍ରିକାର ଜଣେ ଖେଳାଳୀଙ୍କ ନିକଟରେ କୋଭିଡ-୧୯ ଭାଇରସ ରହିଥିବା ଜଣା ପଡିବା ପରେ ଦୁଇ ଦଳର ସମସ୍ତ ସଦସ୍ଯଙ୍କ ନମୁନା କରାଯାଇଥିଲା ପରୀକ୍ଷା । ପରେ ମ୍ୟାଚକୁ ରଦ୍ଦ କରାଯାଇଥିଲା ।

 

Leave a Reply