୨୦୨୫ ଫେବୃଆରୀ ୯ରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

1 min read

କଟକ: ପୁଣି ବାରବାଟୀରେ ଜମିବ କ୍ରିକେଟର ମଜା । କ୍ରିକେଟ୍ କ୍ରେଜରେ ସାରା ଓଡ଼ିଶା ହେବ ମତୁଆଲା । କାରଣ, ଦୀର୍ଘ ବର୍ଷ ପରେ ପୁଣି ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ।

ମିଳିଥିବା ସୂଚନା ଅନୁସାରେ, ୨୦୨୫ ଫେବୃଆରୀ ୯ ତାରିଖରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ହେବାକୁ ଯାଉଛି । ଏହିଦିନ ବାରବାଟୀରେ ମୁହାଁମୁହିଁ ହେବ ଭାରତ ଓ ଇଂଲଣ୍ଡ । ଦ୍ବିତୀୟ ଦିନିକିଆରେ ଉଭୟ ଟିମ୍ ବାରବାଟୀରେ ପରସ୍ପରକୁ ଭେଟିବେ ।

ସୂଚନାଯୋଗ୍ୟ, ୨୦୨୫ ଆରମ୍ଭରେ ଇଂଲଣ୍ଡ ଭାରତକୁ ଟି-୨୦ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ । ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ ।

୫ ବର୍ଷ ପୂର୍ବେ ବାରବାଟୀରେ ଶେଷ ଦିନିକିଆ ଖେଳା ଯାଇଥିଲା । ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା ।