spot_img

Latest Posts

କରୋନା ଭୟାବହତା ଭିତରେ ଆୟୋଜନ ହେଉଛି ଆଉ ଏକ T-20 ଲିଗ୍

ନୂଆଦିଲ୍ଲୀ :  ଦେଶରେ କରନା କରାଳ ରୂପ ଦେଖାଉଥିବାବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍ ହେଉଥିବାରୁ ନାନା ପ୍ରଶ୍ନ ଉଠୁଛି। ଅନେକ ଲୋକ ଆଇପିଏଲ୍ ବନ୍ଦ କରିବାକୁ ଦାବି କରୁଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବର୍ତ୍ତମାନ କରୋନା ଭୟାବହତା ଭିତରେ ଆଉ ଏକ ଟି-20 ଲିଗ୍ ଆରମ୍ଭ ହେବାକୁ ଯାଉଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ତାମିଲନାଡ଼ୁ ପ୍ରିମିୟର ଲିଗ 5।

ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (TNCA) ବୁଧବାର ଘୋଷଣା କରିଛି ଯେ ତାମିଲନାଡୁ ପ୍ରିମିୟର ଲିଗ୍ (ଟିଏନପିଏଲ୍)ର ପଞ୍ଚମ ସଂସ୍କରଣ ଜୁନ୍ 4 ରୁ ଖେଳାଯିବ। TNCA କହିଛି ଯେ ସୁରକ୍ଷିତ ପରିବେଶରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବିସିସିଆଇ ଅନୁମୋଦନ ଦେଇଛି।

TNCA ସଚିବ ଆର.ଏସ୍ ରାମସ୍ୱାମୀ କହିଛନ୍ତି, ‘ଏହା ଘୋଷଣା କରି ଖୁସି ଅନୁଭବ ହେଉଛି ଯେ TNPL 2021 ଟୁର୍ନାମେଣ୍ଟ ଆୟୋଜନକୁ ବିସିସିଆଇ ଅନୁମୋଦନ ଦେଇଛି। ତାମିଲନାଡୁ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ଜୁନ୍ 4 ରୁ ତିରୁନେଲଭେଲିରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ଫାଇନାଲ୍ ଜୁଲାଇ 4 ରେ ସାଲେମରେ ଖେଳାଯିବ।’

ଗତ ବର୍ଷ କରୋନା କାରଣରୁ TNPL ଅନୁଷ୍ଠିତ ହୋଇପାରିଲାନଥିଲା। ଏପର୍ଯ୍ୟନ୍ତ ଚାରୋଟି ସଂସ୍କରଣ ଖେଳାସରିଛି। ଯେଉଁଥିରେ ଚେପକ୍ ସର୍ବାଧିକ ଦୁଇଥର ବିଜୟ ଟାଇଟଲ୍ ଜିତିଛି। ଏହି ଟି -20 ଲିଗ୍ ବିଜେତାଙ୍କୁ 1 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ। ଏହି ଟି -20 ଲିଗ୍ ରୁ ଆଇପିଏଲ୍ ମଧ୍ଯ ଅନେକ ବଡ଼ ବଡ଼ ଖେଳାଳି ପାଇଛି।

ଯଦିଓ ଦେଶରେ ଆଇପିଏଲ ଆୟୋଜନ କରାଯାଉଛି। କିନ୍ତୁ ଅନ୍ୟ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଛୋଟ କ୍ରୀଡ଼ା ସଙ୍ଗଠନର ଖେଳାଳି ଏବଂ ଅଧିକାରୀଙ୍କ ପାଖରେ ବାୟୋ ବବୁଲ୍ ତିଆରି କରିବାକୁ ପର୍ଯ୍ୟାପ୍ତ ବଜେଟ୍ ନାହିଁ। ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ଼। ଏହି କାରଣରୁ, ସେ ଇଭେଣ୍ଟକୁ ଭଲ ଭାବରେ ଆୟୋଜନ କରିବାରେ ସକ୍ଷମ।

Latest Posts

Don't Miss