ଅନ୍ୟ ଜଣଙ୍କ କ୍ରେଡିଟ୍‌ କାର୍ଡରେ ସପିଂ କରୁଥିବା ବେଳେ ଧରାପଡ଼ିଲେ ଯୁବକ

ବାଲେଶ୍ୱର: ଅନ୍ୟ ଜଣଙ୍କ କ୍ରେଡିଟ୍‌ କାର୍ଡ଼ ବ୍ୟବହାର କରୁଥିବା ବେଳେ ଧରାପଡ଼ିଲେ ଯୁବକ । ସପିଂ ମଲରୁ କରୁଥିଲେ କ୍ରଡିଟ କାର୍ଡ଼ରେ ସପିଂ । ଅଭିଯୁକ୍ତ ଯୁବକଙ୍କୁ ଦୋକାନି ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେ କେଉଁଠୁ କାର୍ଡ ଆଣିଲେ । ତାଙ୍କ ପାଖକୁ ଅନ୍ୟ ଜଣଙ୍କର କ୍ରେଡିଟ କାର୍ଡ କେମିତି ଗଲା । ଏହା ପୂର୍ବରୁ ସେ କେତେଥର ଏଭଳି ଅନ୍ୟ କାହାର କ୍ରେଡିଟ କାର୍ଡ ବ୍ୟବହାର କରିଛନ୍ତି । ଏଭଳି ତଥ୍ୟ ଆଦାୟ କରିବାକୁ ପ୍ରୟାସ କରୁଛି ପୋଲିସ । ସେପଟେ ଅଭିଯୁକ୍ତ ଯୁବକ ନିଜର ସଠିକ୍‌ ପରିଚୟ ଦେଉନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଖନ୍ତାପଡ଼ାର ଅମୀୟ ମଲ୍ଲିକଙ୍କ ନାମରେ କୋଟାକ୍‌ ବ୍ୟାଙ୍କରୁ ଏକ କ୍ରେଡ଼ିଟ୍‌ କାର୍ଡ଼ ଆସିଥିଲା । ଏହି କାର୍ଡ଼ ଅମୀୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବଜାରର ଏକ ଗାର୍ମେଟ ଦୋକାନରୁ କ୍ରେଡ଼ିଟ୍‌ କାର୍ଡ଼ ମାଧ୍ୟମରେ ୨ ହଜାର ଟଙ୍କାର ସପିଂ କରାଯାଇଥିବା ଅମୀୟ ଏସ୍‌ଏମ୍‌ଏସ୍‌ ପାଇଥିଲେ । ସେ ତୁରନ୍ତ ଦୋକାନୀଙ୍କ ସହିତ ଯୋଗାଯୋଗ କରିବାରୁ ଅଭିଯୁକ୍ତ ଯୁବକକୁ ଦୋକାନୀ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ । ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଛି । ତେବେ ଗ୍ରାହକଙ୍କ ପାଖରେ କ୍ରେଡ଼ିଟ୍‌ କାର୍ଡ଼ ପହଞ୍ଚିବା ପୂର୍ବରୁ ଯୁବକ ପାଇଲେ କେଉଁଠୁ ? କୋରିୟର କିମ୍ବା ଚିଠି ବାଣ୍ଟୁଥିବା ଏଜେଣ୍ଟଙ୍କ ସମ୍ପୃକ୍ତିରେ ଏହି ରାକେଟ୍‌ କେତେଥର ଗ୍ରାହକଙ୍କ ଟଙ୍କା ଲୁଟ୍‌ କରିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply