ମହଙ୍ଗା ପଡ଼ିଲା ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି ବିକ୍ରି ଉଦ୍ୟମ, ନିଲମ୍ବିତ ହେଲେ ସିଆରସିସି

ଖୋର୍ଦ୍ଧା: ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି ବିକିବାକୁ ଉଦ୍ୟମ କରି ନିଲମ୍ବନ ହେଲେ ସିଆରସିସି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର କାର୍ଯ୍ୟାଳୟର ସିଆରସିସି ମନମୋହନ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି । ବୋଲଗଡ଼ ବିଇଓ ତାଙ୍କୁ ନିଲମ୍ବନ କରିଛନ୍ତି । କବାଡ଼ିଆକୁ ଡାକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବହି ବିକ୍ରି କରିବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡ଼ିଥିଲେ ମନମୋହନ । ଦେଉଳି ସତମାର୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କ୍ଲଷ୍ଟର କାର୍ଯ୍ୟାଳୟରେ ପିଚୁକୁଳିର ଜଣେ କବାଡ଼ିଆ ବହି ଓଜନ କରି କିଣୁଥିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଓ୍ବାର୍ଡ ମେମ୍ବର ଓ କେତେକ ଅଭିଭାବକ ପହଞ୍ଚି ବିରୋଧ କରିବା ସହ ଉଭୟଙ୍କୁ ଅଟକ ରଖିଥିଲେ ।

ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଘଟଣାସ୍ଥଳରେ ବିଇଓ ପହଞ୍ଚି ବହି ବିକ୍ରି ଉଦ୍ୟମରେ ସତ୍ୟତା ଥିବା ଉପଲବ୍ଧି କରିଥିଲେ । ଏହାପରେ ସିଆରସିସି ମନମୋହନ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବହିଗୁଡ଼ିକୁ ଜବତ କରିବା ସହ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ସିଆରସିସି ମନମୋହନ ମିଶ୍ର ନିଜ ଭୁଲ ସ୍ବୀକାର କରିଛନ୍ତି ।