ଯୋଶୀ ମଠ ସେନା ଛାଉଣୀ ଘରେ ଫାଟ, ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଯୋଶୀମଠ: ଦିନକୁ ଦିନ ବିଗିଡୁଛି ଉତ୍ତରାଖଣ୍ଡ ଯୋଶୀମଠ ସ୍ଥିତି । ଅଧିକରୁ ଅଧିକ ଘରେ ସୃଷ୍ଟି ହେଉଛି ଫାଟ । ଅନେକ ଘର ଦବିବାରେ ବି ଲାଗିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଯୋଶୀମଠ ଅଞ୍ଚଳ ଗସ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଯୋଶୀମଠରେ ବିପଦ ବଢୁଥିବା ବେଳେ ଭାରତୀୟ ସ୍ଥଳ ସେନା ମଧ୍ୟ ବାଦ ପଡିନାହିଁ । ଆର୍ମିଚିଫ୍ ଜେନେରାଲ୍ ମନୋଜ  ପାଣ୍ଡେଙ୍କ ସୂଚନା ଅନୁଯାୟୀ ସେନାର ୨୫ରୁ ୨୮ଟି ଛାଉଣୀରେ ଫାଟ ଦେଖାଦେଇଛି । ଯବାନ ମାନଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଛି । ଆବଶ୍ୟକସ୍ଥଳେ ଯବାନ ମାନଙ୍କୁ ଔଲି  କିମ୍ବା ଅନ୍ୟତ୍ର ସ୍ଥାନ କରାଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯୋଶୀମଠରୁ ମାଣା ଯାଉଥିବା ରାସ୍ତାରେ ଫାଟ ଦେଖାଯାଇଛି । ଯାହାକୁ ବିଆରଓ ଠିକ୍ କରୁଛନ୍ତି । ଏଥିରେ ଆମର ଅପରେସନାଲ୍ ରେଡିନେସ୍ ଉପରେ କିଛି ପଡିନାହିଁ । ସେନା ହସ୍ପିଟାଲ୍, ହେଲିପ୍ୟାଡ ମଧ୍ୟ ପ୍ରଶାସନକୁ ଦିଆଯାଇଛି । ଫଳରେ ଲୋକମାନଙ୍କୁ ଅସ୍ଥାୟୀ ଭାବେ ସେଠାକୁ ସ୍ଥାନାନ୍ତରଣ କରାଯାଇପାରିବ।

ତେବେ ଚମୋଲି ଜିଲ୍ଲାରେ ତୁଷାରପାତ ହେବା ସହ ବର୍ଷା ହେବାରୁ ଆତଙ୍କ ପ୍ରକାଶ ପାଇଛି । କର୍ଣ୍ଣପ୍ରୟାଗର ବହୁଗୁଣା ନଗର ଅଞ୍ଚଳରେ ଘର ଫାଟିବା ଯୋଗୁ ସେଠାରେ ବି ଆତଙ୍କ ପ୍ରକାଶ ପାଇଛି ।