ଚିନ୍ତା ବଢ଼ାଇଛି ହୃଦଘାତଜନିତ ମୃତ୍ୟୁ, ୮୦ ପ୍ରତିଶତ ଲୋକଙ୍କର ବାହାରେ ହାର୍ଟ ଆଟାକରେ ଯାଉଛି ଜୀବନ

ଭୁବନେଶ୍ୱର: ଦେଶରେ ଉଦବେଗ ବଢ଼ାଇଛି ହୃଦଘାତ ଜନିତ ମୃତ୍ୟୁ । ହୃଦଘାତରେ ମୃତ୍ୟୁ ହୋଉଥିବା ଲୋକଙ୍କ ମଧ୍ୟରୁ ବାହାରେ ୮୦ ପ୍ରତିଶତଙ୍କ ଜୀବନ ଚାଲିଯାଉଛି । ତେଣୁ ଏବେ ସମସ୍ତେ ଜଣେ ଜଣେ ଲାଇଫ୍ ସେଭର ହେବାର ସମୟ ଆସିଛି । ସେଥିପାଇଁ ଆଜି ସତ୍ୟସାଇ ସେବା ସଂଗଠନ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଏବଂ ଭୁବନେଶ୍ବର ଏମ୍ସର ମିଳିତ ଆନୁକୁଲ୍ୟରେ ଏକ ସିପିଆର ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସ୍ୱତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଉତ୍ସାହ ବଢ଼ାଇଥିଲେ ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ପୋଲିସ, ଅଗ୍ନିଶମବାହିନୀ, ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନେ ଯୋଗଦେଇ ହୃଦଘାତ ହେଲେ କେମିତି ପମ୍ପିଂ କରାଯିବ ସେନେଇ ତାଲିମ୍ ଦେଇଥିଲେ ଅଭିଜ୍ଞ ଡାକ୍ତର । ଆସନ୍ତା ୨୦୨୫ ସୁଦ୍ଧା ୨ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ଦେଶରେ ୧୦ ମିଲିୟନ ଲୋକ ହୃଦଘାତର ଶିକାର ହେଉଥିବା ବେଳେ ୧୭ ପ୍ରତିଶତ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।