ମିସା ବନ୍ଦୀ ପେନସନ୍‌କୁ ସିପିଏମ୍ ପ୍ରତ୍ୟାଖ୍ୟାନ

ଭୁବନେଶ୍ବର: ରାଜ୍ୟ ବିଜେପି ସରକାରଙ୍କ ମିସା ବନ୍ଦୀ ପେନସନକୁ ସିପିଏମର ପ୍ରତ୍ୟାଖ୍ୟାନ । ଦଳ ପକ୍ଷରୁ କୁହାଯାଇଛି, ୧୯୭୫ ଜୁନ୍ ୨୬ରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଘୋଷଣା ପରେ ଏହାକୁ ଓଡ଼ିଶା ସମେତ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ବିରୋଧ କରିଥିଲେ । ବିଭିନ୍ନ ଦଳର ନେତା, କର୍ମୀ, ବୁଦ୍ଧିଜୀବୀ, ସାମ୍ବାଦିକଙ୍କୁ ମିସା ଓ ଡ଼ିଆଇଆର୍ ଆଇନ୍ ବଳରେ ବିନା ବିଚାରରେ ଗିରଫ କରି ଜେଲରେ ରଖା ଯାଇଥିଲା । ସାମଗ୍ରିକ ଭାବେ ଗଣତାନ୍ତ୍ରିକ ଅଧିକାର ଉପରେ ଅଙ୍କୁଶ ଲଗାଯାଇଥିଲା । ସେତେବେଳେ ଜରୁରୀ ପରିସ୍ଥିତିର ବିରୋଧ କରିଥିବା ବିଜେପି ଆଜି ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ।

ଦଳ ପକ୍ଷରୁ କୁହାଯାଇଛି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପରିଚାଳିତ ସରକାରର ୧୧ ବର୍ଷର ଶାସନରେ ତିଳ ତିଳ କରି ଗଣତନ୍ତ୍ରର ହତ୍ୟା କରାଯାଉଛି । ସରକାରୀ ନୀତିର ବିରୋଧ କରୁଥିବା ସାମ୍ବାଦିକ, ବୁଦ୍ଧିଜୀବୀ, ଓକିଲ, ସାମାଜିକ କର୍ମୀ, ରାଜନେତାଙ୍କୁ ବର୍ଷ ବର୍ଷ ଧରି ଜେଲରେ ସାଧାରଣ ବନ୍ଦୀ ଭାବେ ରଖାଯାଉଛି । ଜରୁରୀ ଅବସ୍ଥା ଜାରି ନହେଲେ ସୁଦ୍ଧା ବିଜେପି ପକ୍ଷରୁ ବର୍ତ୍ତମାନ ନବ୍ୟ ଫାସିବାଦୀ ଆକ୍ରମଣ ଜୋରଦାର ହୋଇଛି । ଭିନ୍ନମତ ରଖୁଥିବା, ସରକାରୀ ନୀତିର ବିରୋଧ କରୁଥିବା ଲୋକକୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଜେଲରେ ଭର୍ତ୍ତି କରାଯାଉଛି। ଦିବ୍ୟାଙ୍ଗ, ଅକ୍ଷମ, ମହିଳା, ବୃଦ୍ଧ ମଧ୍ୟ ଏଥିରୁ ନିସ୍ତାର ପାଉ ନାହାନ୍ତି । ଗଣତନ୍ତ୍ରକୁ ଯୋଜନାବଦ୍ଧ ଭାବେ ହତ୍ୟା କରୁଥିବା ବିଜେପି ସରକାର ଗଣତନ୍ତ୍ର ସୁରକ୍ଷା ପାଇଁ ଜେଲ୍ ଯାଇଥିବା ଲୋକଙ୍କୁ ପେନ୍‌ସନ୍ ବ୍ୟବସ୍ଥା କରିବା ହାସ୍ଯାସ୍ପଦ କଥା । ପୁଣି ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମ କରିବା ପ୍ରତ୍ୟେକ ଦେଶପ୍ରେମୀର କର୍ତ୍ତବ୍ୟ । ଏଥିରେ ପେନସନ୍ କାହିଁକି ଦିଆଯିବ ବୋଲି ପ୍ରଶ୍ନ କରିଛି ସିପିଏମ୍ ।