ବଜେଟରେ ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକେ ଓ ଖଟିଖିଆ
ଭୁବନେଶ୍ବର: ଚଳିତ ବଜେଟରେ ସାଧାରଣ ଲୋକ ଓ ଖଟିକିଆଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ବଜେଟରେ କିଛି ନୂତନତ୍ୱ ନାହିଁ । କେବଳ ସାଧାରଣ ବଜେଟ ନୁହେଁ ବରଂ ରେଳ ବଜେଟ ମଧ୍ୟ ଓଡିଶା ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ।
ବଜେଟ ଶ୍ରମିକ, କୃଷକ, ଛାତ୍ର ଓ ଯୁବ ବିରୋଧୀ । ଯୁବପିଢୀଙ୍କ ପାଇଁ କିଛି ନାହିଁ । ଏହା ଓଡ଼ିଶା ପ୍ରତି ଚରମ ଅବହେଳା । ଇଷ୍ଟ କୋଷ୍ଟ ରେଳ ଜୋନକୁ ବିଭାଜନ କରି ଓଡିଶା ସ୍ଵାର୍ଥକୁ ଜଳାଞ୍ଜଳି ଦିଆଯାଇଛି । ଏପରି ଅଭିଯୋଗ କରି ଭାରତୀୟ କମ୍ଯୁନିଷ୍ଟ ପାର୍ଟି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସିପିଆଇ ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ କେନ୍ଦ୍ର ବଜେଟର ଜୋରଦାର ପ୍ରତିବାଦ କରାଯାଇଛି ।
କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲୁଥିବା ଓ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ଦାୟିତ୍ବ ନେଇଥିବା ଅଶ୍ୱିନୀ ବୈଷ୍ଣବ କେଉଁ ସ୍ୱାର୍ଥରେ ଓଡିଶାକୁ ଭୁଲିଗଲେ ବୋଲି ପ୍ରଶ୍ନ କରିଛି ସିପିଆଇ । ତେବେ ଏଥିରେ ସୁଧାର ନ ଆସିଲେ ସିପିଆଇ ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି ।