ଝାଡ଼ଖଣ୍ଡର ୧୪ ଲୋକସଭା ଆସନରୁ ୮ଟିରେ ଏକା ଲଢିବ ସିପିଆଇ

ନୂଆଦିଲ୍ଲୀ : ପୁଣି ଇଣ୍ଡିଆ ମେଣ୍ଟକୁ ଝଟକା। ଝାଡଖଣ୍ଡରେ ଏକାକୀ ଲଢିବା ଲାଗି ଘୋଷଣା କରିଛି ସିପିଆଇ। ରାଜ୍ଯର ୧୪ଟି ଲୋକସଭା ଆସନ ମଧ୍ଯରୁ ୮ଟିରେ ଏକାକୀ ଲଢିବ ବୋଲି ଦଳ ଘୋଷଣା କରିଛି। ଝାଡଖଣ୍ଡରୁ ବର୍ତ୍ତମାନ ସିପିଆଇର କେହି ସାଂସଦ ନାହାନ୍ତି। ତେବେ ରାଜ୍ଯରେ ଇଣ୍ଡିଆ ମେଣ୍ଟ ଲାଗି ଯଥେଷ୍ଟ ସୁଯୋଗ ଥିଲେ ବି ସିପିଆଇର ଏହି ଭୂମିକା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ସମ୍ପାଦକ ମହେନ୍ଦ୍ର ପାଠକ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ। ଝାଡଖଣ୍ଡରେ ଆସନ ବଣ୍ଟନ ନେଇ ବର୍ତ୍ତମାନ ସୁଦ୍ଧା ମହାଗଠବନ୍ଧନ ପକ୍ଷରୁ ଆଲୋଚନା କରାଯାଇନାହିଁ। ଗତକାଲି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ ଆସନରେ ଟିଏମସି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ଯରେ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଧକ୍କା ଲାଗିଥିଲା।