ହତ୍ୟାକାଣ୍ଡର ୧୩ ବର୍ଷ ପରେ ଧରାପଡ଼ିଲା ପଞ୍ଚମ ଅଭିଯୁକ୍ତ

ଭୁବନେଶ୍ୱର: ମଞ୍ଚେଶ୍ୱର ଅଞ୍ଚଳରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତର ନାଁ ହେଉଛି ବିକ୍ରମାଦିତ୍ୟ ଜେନା । ଆଜି ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିଛି ପୋଲିସ । ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଚକେଇସିଆଣି ନିକଟ ରାସ୍ତାକଡ଼ରୁ କାର୍‌ ଭିତରୁ  ସୁମନ୍ତଙ୍କ ମୃତଦେହ ମିଳିଥିଲା ।

ତେବେ ଘଟଣାରେ ପୂର୍ବରୁ ମୁଖ୍ୟଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପଞ୍ଚମ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପଞ୍ଚମ ଅଭିଯୁକ୍ତ ହେଉଛି ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲକୁ ପୂର୍ବରୁ ଗିରଫ କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁମନ୍ତଙ୍କୁ ହତ୍ୟା କରିଥିଲା ସୁନୀଲ । ତେବେ ସୁନୀଲକୁ ସହଯୋଗ କରିଥିଲେ ବିକ୍ରମାଦିତ୍ୟ ଏବଂ ଅନ୍ୟମାନେ ।

ପୁରୁଣା ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସର ଅଭିଯାନରେ ବିକ୍ରାମାଦତ୍ୟ ଗିରଫ ହୋଇଛି । ପ୍ରେସମିଟରେ ପୋଲିସ କମିଶନର କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପରେ ବିକ୍ରମାଦିତ୍ୟ ପୁନେ ପଳାଇଥିଲା । ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରିବା ସହ ମଞ୍ଚେଶ୍ୱରରେ ଥିବା ରୋଗାଗ୍ରସ୍ତ ମାଆଙ୍କ ସହ ଯୋଗାଯୋଗରେ ଥିଲା । ଏବିଷୟରେ ଜାଣିବା ପରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ ତାଙ୍କୁ ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରିଥିଲା ।

ହତ୍ୟାକାଣ୍ଡର କାରଣ ?

୨୦୦୮ ମସିହାରେ ମୁଖ୍ୟଅଭିଯୁକ୍ତ ଯେଉଁ କଲେଜରେ ପଢୁଥିଲେ ଏବଂ ସୁମନ୍ତ ତାଙ୍କ ସିନିୟର ଥିଲେ । ସୁମନ୍ତ ଅଭିଯୋଗ କାରଣରୁ ସୁନୀଲ କଲେଜରୁ ବହିଷ୍କାର କରାଯାଇଥିଲା । ଏବଂ ଏହାର ପ୍ରତିଶୋଧ ନେବାକୁ ଯାଇ ସୁଚିନ୍ତିତ ଯୋଜନା କରି ତାଙ୍କୁ ସଂଗୀତ ନିର୍ଦ୍ଦେଶନା ଦେବାକୁ ଡାକି ଏକାଠି ହୋଇ ହତ୍ୟା କରିଥିଲେ ଏବଂ ସୁମନ୍ତଙ୍କ ମୃତ ଦେହକୁ ତାଙ୍କ କାରରେ ରଖି ପଳାଇଯାଇଥିଲେ ।

Leave a Reply