spot_img

Latest Posts

ଆଜି ରାଜ୍ୟକୁ ଆସିବ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଡୋଜ୍

ଭୁବନେଶ୍ୱର: ସଞ୍ଜୀବନି ନେଉଛି ଓଡ଼ିଶା। କରୋନାକୁ ମାତ୍ ଦେବା ପାଇଁ ଚାଲିଛି ଟିକାକରଣ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜ୍ୟକୁ ଆସିବ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଡୋଜ୍। ପ୍ରଥମ ପର୍ଯ୍ୟାୟରେ ୨୫ ତାରିଖ ସୁଦ୍ଧା ଟିକାକରଣ ପାଇଁ ମୋଟ ୩ ଲକ୍ଷ ୩୮ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ କରିଛନ୍ତି। ପ୍ରଥମ ଦିନ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗତକାଲି ୩୮୦ଟି କେନ୍ଦ୍ରରେ ୩୦ ହଜାର ୧୬୧ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏହା ୯୫ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଟିକା ନେବାର ୨୮ଦିନ ପରେ ପୁଣି ଦ୍ୱିତୀୟ ଡୋଜ୍ ଦିଆଯିବ।

ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଥିବା ବେଳେ ଏଥିପାଇଁ ପଞ୍ଜିକୃତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମେସେଜ୍ ଜରିଆରେ ସୂଚନା ଦିଆଯାଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି। ସରକାରୀ ଡାକ୍ତରଖାନା ସମେତ ରାଜ୍ୟବ୍ୟାପୀ ବିଭିନ୍ନ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି। କଟକ ଏସସିବି ମେଡିକାଲରେ ୫ଟି କେନ୍ଦ୍ରରେ ୧ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଟିକାଗ୍ରହଣ ପରେ କାଳେ କିଛି ପାର୍ଶ୍ୱ ପ୍ରତିକ୍ରିୟା ବାହାରିବ ସେଥିପାଇଁ ମଧ୍ୟ ୧୦ଟି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଆଇସିୟୁ ସହ ଡାକ୍ତରୀ ଦଳ ଗଠନ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁଯୋଗ ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କ ପଞ୍ଜୀକରଣ ଜାରି ରହିଛି।

Latest Posts

Don't Miss