କମିଲା କୋଭିସିଲ୍ଡର ଟିକା ନେବାର ସମୟ ବ୍ୟବଧାନ

1 min read

ନୂଆଦିଲ୍ଲୀ: ଆହୁରି ଜୋରଦାର ହେବ ଦେଶରେ କୋଭିଡ୍‌ ଟିକାକରଣ । କମିଲା କୋଭିସିଲ୍ଡର ଟିକା ନେବାର ସମୟ ବ୍ୟବଧାନ । ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍ ଆଡ୍‌ଭାଇଜାରି ଗ୍ରୁପ୍‌ ଅଫ୍‌ ଇମ୍ୟୁନାଇଜେସନ୍‌ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ୮ ରୁ ୧୬ ସପ୍ତାହ ଭିତରେ ନେବା ପାଇଁ ସୁପାରିଶ କରିଛି । ଏହା ପୂର୍ବରୁ ଦୁଇ ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ଥିଲା । ଏହି ନିଷ୍ପତ୍ତି ପରେ ଦେଶରେ ଦ୍ରୁତ ଟିକାକରଣ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ଟିକାକରଣକୁ ନେଇ ରାଷ୍ଟ୍ରୀୟ ପରାମର୍ଶଦାତା ସମୂହ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ବାୟୋଟେକ୍‌ର କୋଭାକ୍‌ସିନ୍‌ ନେବାରେ ସମୟର ପରିବର୍ତ୍ତନ କରିନାହାନ୍ତି । କୋଭାକ୍ସିନର ଦ୍ୱିତୀୟ ଡୋଜ୍‌ ପ୍ରଥମ ଡୋଜ୍‌ ନେବାର ୨୮ ଦିନ ଭିତରେ ଦିଆଯାଉଛି ।  କୋଭିସିଲ୍ଡର ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ  ।  କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ୮ ସପ୍ତାହ ପରେ ଦିଆଯିବ, ଏଥିରୁ ଉତ୍ପନ୍ନ ଆଣ୍ଟିବଡି ୧୨ ରୁ ୧୬ ସପ୍ତାହ ପରେ ଦିଆଯାଉଥିବା ଡୋଜ୍‌ ସହିତ ସମାନ ହେବ ।

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୬୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୨୭ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୦୭,୮୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧୨୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୪୭୯ରେ ପହଞ୍ଚିଛି।