କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ କମିପାରେ ସମୟ, ଖୁବ୍ ଶୀଘ୍ର ନିଷ୍ପତ୍ତି
1 min readନୂଆଦିଲ୍ଲୀ: କରୋନାର ତୃତୀୟ ପ୍ରବାହ ଆଶଙ୍କା ଥିବା ବେଳେ କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ କମିପାରେ ବୋଲି ଆଲୋଚନା ହେଉଛି । ଏନେଇ ଜଣେ ଅଧିକାରୀ କହିଛନ୍ତି, “କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ନେଇ ଆଲୋଚନା ହେଉଛି। । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହୋଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ NTAGI ରେ ମଧ୍ୟ ଏହା ଉପରେ ଆଲୋଚନା କରାଯିବ।
ଏହି ମାସ ଆରମ୍ଭରେ କୋଭିଡ୍-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଏନ୍.କେ. ଅରୋରା କହିଛନ୍ତି ଯେ କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ କମ୍ କରାଯାଇପାରେ। ଏହି ପାର୍ଥକ୍ୟ କେବଳ ୪୫ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ଲୋକଙ୍କ ପାଇଁ କମାଯିବ । ବର୍ତ୍ତମାନ ସମସ୍ତ ବୟସ୍କ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ପରେ ୧୨ରୁ ୧୬ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନେଉଛନ୍ତି।
ଏକ୍ସପର୍ଟଙ୍କ କହିବାନୁଯାୟୀ, ପ୍ରଥମ ଡୋଜରେ ଆଣ୍ଟିବଡି ଅଧିକ ଉତ୍ପନ୍ନ ହୁଏ । ଏପରିସ୍ଥିତିରେ ଦ୍ୱିତୀୟ ଡୋଜ୍ ବିଳମ୍ବରେ ଦିଆଯିବା ଉଚିତ୍ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ବ୍ୟବଧାନ ବଢାଯିବା ପରେ ଏକ ନୂତନ ଅଧ୍ୟୟନ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ କୋଭିସିଲ୍ଡର ପ୍ରଥମ ଡୋଜରୁ ଅଧିକ ଆଣ୍ଟିବଡି ଉତ୍ପନ୍ନ ହେଉଥିବା ଆକଳନ ସମ୍ପୂର୍ଣ୍ଣ ରୂପେ ସଠିକ୍ ନୁହେଁ।