କୋଭିଡ୍ ଟିକା ରିଆକ୍ସନ: ଦୁଇ ନର୍ସିଂ ଛାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି
ବଲାଙ୍ଗିର: ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜ୍ରେ ଅଘଟଣ । କୋଭିଡ୍ ଟିକା ନେଇ ଦୁଇ ଜଣ ଛାତ୍ରୀ ଗୁରୁତର । ଗୁରୁତର ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରିଛନ୍ତି । ଗୁରୁତର ଛାତ୍ରୀମାନେ ହେଲେ ଜିଏନଏମ୍ ତ୍ରୁତୀୟ ବର୍ଷ ଛାତ୍ରୀ ସୁନୀତା ସାହୁ ଓ ସ୍ମିତା ସୁନା ।
ସୋମବାର ସାଇଟ୍ ନର୍ସିଂ କଲେଜର ପ୍ରାୟ ୭୦ ଜଣ ଛାତ୍ରୀ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କୋଭିଡ୍ ଟିକାକରଣ କେନ୍ଦ୍ରରେ କୋଭିସିଲଡ୍ ଟୀକା ନେଇଥିଲେ । ପ୍ରାୟ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରୀୟା ଦେଖିବାକୁ ମିଳିଥିବା ବେଳେ ଜିଏନଏମ୍ ତୃତୀୟ ବର୍ଷରେ ପଢୁଥିବା କଳାହାଣ୍ଡି ଜିଲ୍ଲା ଡୁଙ୍ଗୁରିଗୁଡାର ସ୍ମିତା ସୁନା ଓ ଅନୁଗୁଳର ସୁନୀତା ସାହୁ ମଙ୍ଗଳବାର ଅପରାହ୍ନରେ ହୋଷ୍ଟେଲରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ ।
ସୁନୀତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଡାକ୍ତରଖାନାର କାଜୁଆଲିଟିରେ ଅକ୍ସିଜେନ୍ ଲଗାଯାଇ ଚିକିତ୍ସା କରାଯାଉଛି । ସ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସୂଚନା ରହିଛି । ହେଲେ ସୁନୀତାଙ୍କୁ ମେଡିକାଲରେ ଅବଜରଭେସନ୍ରେ ରଖି ଚିକିତ୍ସା କରାଯାଉଛି । ଭୟ ଯୋଗୁଁ ଏଭଳି ପରସ୍ଥିତି ଉପୁଜିଥିବା ନେଇ ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ସଠିକ୍ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁ ଏନେଇ ସୂଚନା ଦେଇଛନ୍ତି ।