ଦୈନିକ ୧ ଲକ୍ଷ ବୟସ୍କ ନାଗରିକଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ଟିକାକରଣର ଗତି । ଦୈନିକ ପ୍ରାୟ ୧ ଲକ୍ଷ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଭିଡିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ଟିକାକରଣର ଗତିକୁ ବଢ଼ାଇବା ଲାଗି ଘରୋଇ ହସ୍ପିଟାଲ ଗୁଡ଼ିକରେ କୋଭିଡ୍ ଟିକାକରଣ କେନ୍ଦ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଦୈନିକ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ।

ଅନୁଗୁଳରେ ୧ ଲକ୍ଷ ୪୦ ହଜାର ୫୮୨ ଜଣ ବୟସ୍କଙ୍କ ମଧ୍ୟରୁ ଦୈନିକ ୩ ହଜାର ୩୭ ଜଣଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେହିଭଳି ବାଲେଶ୍ୱରରେ ୨,୫୬,୦୯୯ ବୟସ୍କଙ୍କ ମଧ୍ୟରୁ ଦୈନିକ ୫,୫୩୨ ଜଣଙ୍କୁ ଟିକା, ବରଗଡ଼ରେ ୧,୬୩, ୪୭୪ ଜଣ ବୟସ୍କଙ୍କ ମଧ୍ୟରୁ ଦୈନିକ ୩, ୫୩୧ ଜଣଙ୍କୁ ଟିକା, ଭଦ୍ରକରେ ୧, ୬୬, ୨୪୩ ବୟସ୍କଙ୍କ ମଧ୍ୟରୁ ଦୈନିକ ୩, ୫୯୧ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହିଭଳି ଭାବେ ରାଜ୍ୟର ୩୦ ଜିଲ୍ଲା ସହ ଭୁବନେଶ୍ୱରକୁ ମିଶାଇ ୪୬ ଲକ୍ଷ ୩୨ ହଜାର ୩୬୫ ଜଣ ବୟସ୍କଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ ।