spot_img

Latest Posts

ରେକର୍ଡ଼ ଭାଙ୍ଗିଲା କରୋନା ସଂକ୍ରମଣ, ରାଜ୍ୟ ଆତଙ୍କିତ

ଭୁବନେଶ୍ୱର: ରାଜ୍ୟକୁ ରାଜ୍ୟ ମାଡ଼ି ଚାଲିଛି କରୋନା ସଂକ୍ରମଣର ଦ୍ୱିତୀୟ ଲହଡ଼ି। ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ବି ଏଥିରେ ସାମିଲ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪୬ ଜଣ ନୂଆ ରୋଗୀ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଜାନୁୟାରୀ ୨୨ ତାରିଖ ପରେ ଏହା ଦ୍ୱିତୀୟ ସର୍ବବୃହତ ବିସ୍ଫୋରଣ। ଏହି ପ୍ରକାର ବୃଦ୍ଧିକୁ ଦେଖି ଉଭୟ ପ୍ରଶାସନ ଓ ଜନସାଧାରଣ ଆତଙ୍କିତ ହୋଇଛନ୍ତି। ତୁରନ୍ତ ଏହି ବିସ୍ଫୋରଣକୁ ନିୟନ୍ତ୍ରଣରେ ରଖିବା ଲାଗି ମୁଖ୍ୟ ରିଲିଫ୍ କମିଶନର ଜରୁରୀ ଆଲୋଚନା କରିଛନ୍ତି।

ଜାନୁୟାରୀ ୨୨ ତାରିଖରେ ରାଜ୍ୟରେ ୧୫୦ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଥିଲା। କ୍ରମାଗତ ଭାବେ ଏହି ସଂଖ୍ୟା କମିବା ପରେ ରାଜ୍ୟରେ କଟକଣା କୋହଳ ବି କରାଯାଇଥିଲା। ବାରମ୍ବାର ପ୍ରତିଶେଧକ ନେଇ ଗମନାଗମନ କରିବାକୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଜନସାଧାରଣ ତାହାକୁ ହାଲୁକା ଭାବେ ନେଉଥିଲେ। ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି।

କେବଳ ଭୁବନେଶ୍ୱରରେ ୩୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରୁ ୨୩ ଜଣ ହେଉଛନ୍ତି ଜାଭିଏର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ। ସେହିପରି କଟକରୁ ଆଜି ୨୩, ମୟୁରଭଞ୍ଜରୁ ୧୩, ନୂଆପଡ଼ା ଏବଂ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବଲାଙ୍ଗିରରୁ ୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୬୭ରେ ପହଞ୍ଚିଛି। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଲା ୨୪ ଘଣ୍ଟା ଭିତରେ ଦେଶରେ ୪୬ ହଜାର ୯୫୧ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ୮୪.୪୯ ପ୍ରତିଶତ ସଂକ୍ରମିତଙ୍କୁ ମାତ୍ର ୫ଟି ରାଜ୍ୟରୁ ଚିହ୍ନଟ କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶ। ମହାରାଷ୍ଟ୍ରରେ ସର୍ବାଧିକ ୩୦ ହଜାର ୫୩୫ ଜଣ ଚିହ୍ନଟ ହୋଇଥିବାବେଳେ ପଞ୍ଜାବରୁ ୨୬୪୪ ଜଣ ଏବଂ କେରଳରୁ ୧୮୭୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Latest Posts

Don't Miss