କ୍ରିକେଟ୍ ମ୍ୟାଚ୍ ନୁହେଁ କରୋନା, ମାସ୍କ ନପିନ୍ଧିଲେ ଗଣିବେ ଜରିମାନା

1 min read

ଭୁବନେଶ୍ୱର: ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି । ରାଜ୍ୟ ମହାମାରୀ ନିୟମ ସଂଶୋଧନ ଅନୁସାରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ୨ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଆଜିଠୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ । ପ୍ରଥମ ୩ ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା । ତୃତୀୟ ଥର ସମାନ ଭୁଲ୍ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାକୁ ସାରା ରାଜ୍ୟରେ ଲାଗୁ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଜରୁରୀକାଳୀନ ପାଣ୍ଠିକୁ ୨ ହଜାର କୋଟିକୁ ବୃଦ୍ଧି କରାଯାଇଛି ।

ରାଜ୍ୟର ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ରାଜ୍ୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍-୧୯ ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । ଦୟାକରି ପ୍ରତି ବଲ୍ ଭଳି ତଥ୍ୟ ଖୋଜନ୍ତୁ ନାହିଁ । ଆବେଗ ନୁହେଁ ଏହା ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ ବ୍ୟବହାର୍ଯ୍ୟ ତଥ୍ୟ ସଠିକ୍ ସମୟରେ ପହଞ୍ଚାଇବୁ ।

ଘଟଣାଟି ଘଟିବା କ୍ଷଣି ସବୁ ଖବର ଦିଆଯାଇ ପାରିବ ନାହିଁ । ଜନହିତରେ କୌଣସି ଆକ୍ରାନ୍ତଙ୍କ ବିବରଣୀ ଦେବା ଦରକାର ଥିଲେ ଦିଆଯିବ । ଜନହିତ ପ୍ରତି ଆଶଙ୍କା ନଥିଲେ ବ୍ୟକ୍ତିଗତ ବିବରଣୀ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କୋଭିଡ୍-୧୯ ଯୁଦ୍ଧ କେବଳ ସରକାରଙ୍କ ଯୁଦ୍ଧ ନୁହେଁ, ଏହା ସାମୁହିକ ଯୁଦ୍ଧ । ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ ।

Leave a Reply