ଆମ୍ବୁଲାନ୍ସ ଆସିଲାନି, ଟ୍ରଲିରେ ଗଲେ ଗର୍ଭବତୀ

ଯାଜପୁର: କଣ୍ଟେନମେଣ୍ଟ ଜୋନରୁ ଆସିଛି ଆଉ ଅକ ଅଭାବନୀୟ ଘଟଣା । କରୋନା ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସେବା ସହ ସାମଗ୍ରୀ ପହଞ୍ଚା ଯାଉଥିବା କୁହାଯାଉଛି । ତେବେ, ବାସ୍ତବତା ଭିନ୍ନ । ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡାକିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଆଳରେ ଆମ୍ବୁଲାନ୍ସ ଆସୁନି । ଫଳରେ ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ଟ୍ରଲିରେ ନିଆଯାଇଛି ।

ମାନବିକତା ସହ ପ୍ରଶାସନର ପଦକ୍ଷେପକୁ ଉପହାସ କଲା ଭଳି ଏ ଖବର ଯାଜପୁର ଜିଲ୍ଲା ବାଇଁଶିରିଆ ଗାଁର । ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ପ୍ରଥମେ ୧୦୮କୁ ଫୋନ୍ କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିନଥିଲା । ପରେ ୧୦୨କୁ ଯୋଗାଯୋଗ କରିଥିଲେ ପରିବାର ଲୋକ । ୧୦୨ ତ ଆସିଲା କିନ୍ତୁ ଗାଁ ଠାରୁ ୨ କିମି ଦୂରରେ ଅଟକି ରହିଲା ।

ଫଳରେ ଘର ଲୋକ ବାଧ୍ୟ ହୋଇ ମହିଳାଙ୍କୁ ଏକ ଟ୍ରଲି ଯୋଗେ ୨ କିମି ନେବା ପରେ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ନିଆଯାଇଛି ।

Leave a Reply