୪ ରାଜ୍ୟରେ କରୋନା ଟିକାକରଣର ମକଡ୍ରିଲ୍… ଗ୍ରାଉଣ୍ଡ ଜିରୋରେ ଚ୍ୟାଲେଞ୍ଜ ନେଇ ଚାଲିଛି ସମୀକ୍ଷା

1 min read

ନୂଆଦିଲ୍ଲୀ: ଦେଶରେ କେମିତି ହେବ ଟିକାକରଣ । ୪ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଡ୍ରାଏ ରନ୍ । ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ୪୮ ଘଣ୍ଟା ଧରି ମକ୍‌ଡ୍ରିଲ୍ ଚାଲିଛି । ୪ ରାଜ୍ୟର ୨ଟି ଲେଖାଏଁ ଜିଲ୍ଲାରେ ଚାଲିଛି ଡ୍ରାଏ ରନ୍‌ । ଏଥିରେ କାହାରିକୁ ଟିକା ଦିଆଯିବନାହିଁ । ତେବେ ଟିକାକରଣର ବାକି ପ୍ରକ୍ରିୟା କରାଯିବ । ଟିକାକରଣ ପରେ ରସିଦରେ ଆବଶ୍ୟକ ତଥ୍ୟ ରଖିବା, ସାମାଜିକ ଦୂରତା ରକ୍ଷା ଓ କୋଲ୍‌ଡ ଷ୍ଟୋରେଜ୍‌ର ପରୀକ୍ଷଣ କରାଯିବ ।

ଟିକାକରଣ ବେଳେ ଗ୍ରାଉଣ୍ଡ ଜିରୋରେ କେଉଁ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ, ତାହା ଡ୍ରାଏ ରନ୍‌ ବେଳେ ଜଣାପଡୁଛି । ପୂରା ଟିକାକରଣ ପ୍ଲାନ୍ ଉପରେ ମକ୍‌ ଡ୍ରିଲର ପ୍ରଭାବ ପଡିବ । ଲୋକଙ୍କ ଡାଟା ନିଆଯାଇ କୋ-ଓ୍ବିନ୍ ମୋବାଇଲ ଆପରେ ଅପ୍‌ଲୋଡ୍ କରାଯିବ । ସମସ୍ତ ରାଜ୍ୟରେ ଭ୍ୟାକସିନ୍ ଷ୍ଟୋରେଜ୍, ବିତରଣ ଓ ଟିକାକରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇ ଭାରତରେ ଖୁବ୍‌ଶୀଘ୍ର ମିଳିପାରେ ଅନୁମତି । ଆସନ୍ତା କିଛିଦିନ ମଧ୍ୟରେ ଏହାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ଜରୁରିକାଳୀନ ଅନୁମତି ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଦେଇଥିବା ତଥ୍ୟ ସନ୍ତୋଷଜନକ ରହିଥିବା ସୂଚନା ମିଳିଛି । ଫାର୍ମା କମ୍ପାନୀ ପକ୍ଷରୁ ଟିକାର କ୍ଲିନିକାଲ୍ ଟ୍ରାଏଲ ରିପୋର୍ଟ ଦାଖଲ କରାଯାଇଛି । ତେବେ କମ୍ପାନୀ ଦେଇଥିବା ତଥ୍ୟ ଆଧାରରେ ଏହାକୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ମିଳିବା ଆଶା ରହିଛି ।

Leave a Reply