ଆସନ୍ତା ମାସରୁ ଦେଶରେ ଆରମ୍ଭ ହେବ ଟିକାକରଣ

1 min read

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ। ତା’ସହ ସୁସ୍ଥ ରେଟ୍ ମଧ୍ୟ ବଢୁଛି। ଏବେ ଦେଶରେ ମୋଟ୍‌ ତିନି ଲକ୍ଷ ଆକ୍ଟିଭ୍ କେସ୍ ରହିଛି। ସଂକ୍ରମଣ କମୁଥିବା ବେଳେ ଟିକାକରଣକୁ ନେଇ ଆସିଛି ଖୁସି ଖବର। ଆସନ୍ତା ମାସରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

ଟିକା ଦେବା ନେଇ ସମସ୍ତ ଯୋଜନା ହୋଇଥିବା ବେଳେ ଏଥିରେ ଅବହେଳା କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଟିକା ଉପଲବ୍ଧ କରାଇବା ପାଇଁ ଏକ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରାଯାଇଛି। ୬ଟି ଟିକା  କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଥିବା ବେଳେ  ତିନୋଟି ଟିକା ପ୍ରି-କ୍ଲିନିକାଲ୍ ପର୍ଯ୍ୟାୟରେ ଅଛି। କିଛି ସପ୍ତାହରେ ଏସବୁର ପରୀକ୍ଷଣ ଶେଷ ହୋଇଯିବ। ଯାହାପରେ ଜାନୁଆରୀର ଯେକୌଣସି ସପ୍ତାହରେ ଟିକା କରଣ ଆରମ୍ଭ ହୋଇପାରେ ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଟିକାର ପ୍ରଭାବ ଓ ଗୁଣାବତ୍ତା ଉପରେ ଗୁରୁତ୍ୱ ଦିଆଯିବ। ବିଶେଷଜ୍ଞଙ୍କ ଉଦ୍ୟମ କ୍ରମେ ଦେଶକୁ ପୋଲିଓ ଫ୍ରି କରିବା ସମ୍ଭବ ହୋଇଛି। ସେହିଭଳି ଭାରତ କରୋନା ଫ୍ରି ମଧ୍ୟ ହେବ। ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଟିକାକରଣ ପାଇଁ  ଦେଶର ୩୦କୋଟି ଲୋକଙ୍କୁ ଅଗ୍ରାଧିକାର ତାଲିକାରେ ସାମିଲ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଯବାନ, ସଫେଇ କର୍ମଚାରୀ, ୫୦ରୁ ଅଧିକ ବୟସ୍କ ଓ ରୋଗାକ୍ରାନ୍ତ ଅଛନ୍ତି। ଯେଉଁମାନେ ଟିକା ନେବାକୁ ଇଚ୍ଛା କରିବେନି, ସେମାନଙ୍କୁ ବାଧ୍ୟ କରାଯିବନି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

 

Leave a Reply