ଦେଶରେ ଗୋଟିଏ ଦିନରେ ୨.୫କୋଟି ଡୋଜ୍‌ର ରେକର୍ଡ ସଂଖ୍ୟକ ଟିକାକରଣ

1 min read

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସଂଖ୍ୟକ କରୋନା ଟିକାକରଣ । ଗୋଟିଏ ଦିନରେ ସାରା ଦେଶରେ ଲୋକଙ୍କୁ ମୋଟ ଅଢ଼େଇ କୋଟି କରୋନା ଟିକା ଦିଆଯାଇଛି । ୧୭ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଏହି ରେକର୍ଡ ହାସଲ କରାଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟ୍ୱିଟ୍ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହୋଇଥିବାରୁ ଏହି ରେକର୍ଡ ସଂଖ୍ୟକ ଟିକାକରଣ ଦ୍ୱାରା ଦେଶବାସୀ ଦିନଟିକୁ ସ୍ମରଣୀୟ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଗତକାଲି ‘ଭ୍ୟାକ୍ସିନ୍ ସେବା’ କ୍ୟାମ୍ପେନ୍ ଅନୁଯାୟୀ ୨ କୋଟି ଟିକାକରଣ ଅତିକ୍ରମ କରୁ କରୁ କେନ୍ଦ୍ରମନ୍ତ୍ରୀ ସବଦରଜଙ୍ଗ ହସ୍ପିଟାଲ ଯାଇ ସେଠାରେ ଟିକାକରଣରେ ନିୟୋଜିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପକ୍ଷରେ ଏହି ରେକର୍ଡ ସଂଖ୍ୟକ ଟିକାକରଣ ପାଇଁ ଦକ୍ଷିଣ-ପୂର୍ବ ଏସିଆର ସ୍ୱାସ୍ଥ୍ୟ ସଂଗଠନ ଏଥିଲାଗି ଭାରତକୁ ଶୁଭେଚ୍ଛା ଜଣାଇଛି । ଜନୈକ ବରିଷ୍ଠ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ମନ୍ତ୍ରାଳୟ ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସହ ଯୋଗାଯୋଗରେ ରହିଛି  । ଫାଇଜର, ମଡେର୍ଣ୍ଣା ଓ ଜନସନ୍ ଆଣ୍ଡ ଜନସନ୍ ଭଳି କମ୍ପାନୀ ସହ କଥା ବାର୍ତ୍ତା ଚାଲିଛି ଯାହା ଦ୍ୱାରା ଭାରତୀୟ ବଜାରକୁ ଅଧିକରୁ ଅଧିକ ଟିକା ଆସିବପାରିବ । ଭିନ୍ନ ଭିନ୍ନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଟିକା ବାବଦକୁ ଭିନ୍ନ ଭିନ୍ନ ଦାବି କରୁଥିବାରୁ ଏ ନେଇ କିଛି ସମୟ ଲାଗୁଛି । ତେବେ ଅକ୍ଟୋବର ମାସରେ ୧କୋଟି ଜାଡୁସ୍ କାଡିଲାର ଟିକା ମଧ୍ୟ ଆସିବାର ଅଛି ଯାହା ଫଳରେ କେନ୍ଦ୍ର ରାଜ୍ୟମାନଙ୍କୁ ସଠିକ ସମୟରେ ଟିକା ଯୋଗାଇ ଦେଇପାରିବ  ।

Leave a Reply