ଆଜିଠୁ ପିଲାଙ୍କୁ ଟିକାକରଣ, ୧୨ରୁ ୧୪ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା

1 min read

ଭୁବନେଶ୍ୱର: ଆଜିଠୁ ପିଲାଙ୍କୁ ଦିଆଯିବ ଟିକା । ୧୨ରୁ ୧୪ ବର୍ଷ ପିଲାଙ୍କର ହେବ ଟିକାକରଣ । ଜନ୍ମ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ ୧୨ରୁ ୧୪ ବର୍ଷର ପିଲା । ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ । ପୂର୍ବ ନିୟମାବଳୀ ଭଳି ସମାନ ନିୟମ ରହିଛି । ତେବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ରହିଛି । ରାଜ୍ୟରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲାଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟର ନିୟୋଜିତ ହୋଇଛନ୍ତି ।

୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ। କୋ-ଓ୍ୱିନ୍ ପୋର୍ଟାଲରେ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ । ସେହିପରି ସ୍କୁଲରେ ଟିକାକରଣକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରାଯିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ସ୍ବତନ୍ତ୍ର କେନ୍ଦ୍ର ଖୋଲାଯିବ ।