କମିଛି ଟେଷ୍ଟିଂ ଓ ଟିକାକରଣ: ସତର୍କତା ଅବଲମ୍ୱନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ପ୍ରତିଦିନ ହ୍ରାସ ପାଉଛି ସଂକ୍ରମଣ । ଯାହା ସମଗ୍ର ଦେଶ ଓ ରାଜ୍ୟ ପାଇଁ ଆଶ୍ୱସ୍ତିର ବିଷୟ । କିଛି ଦିନ ପ୍ଲାଟ୍ୟୁ ଷ୍ଟେଜରେ ରହି ପିକକୁ ଛୁଇଁବା ପରେ ତଳମୁହାଁ ହୋଇଛି କରୋନା । ତଥାପି ଆଶଙ୍କା ଓ ସଚେତନତା ଅଭାବରୁ ଅବହେଳା କରୁଛନ୍ତି ଲୋକେ । ଇତି ମଧ୍ୟରେ ହ୍ରାସ ପାଇଛି ଉଭୟ ଟେଷ୍ଟିଂ ଓ ଟିକାକରଣ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

ଶୀର୍ଷକୁ ଯାଇ ସଂକ୍ରମଣ ଗ୍ରାଫ୍ ଏବେ ତଳ ମୁହାଁ । ତଥାପି ଚିନ୍ତା ବଢ଼ାଉଛି ଲୋକଙ୍କ ଅବହେଳା । ହଟସ୍ପଟ୍ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ୪ଅଙ୍କ । ସ୍ମାର୍ଟସିଟିରେ କମିଛି ଉଭୟ ଟେଷ୍ଟିଂ ଓ ଟିକାକରଣ । କରୋନା ସଂକ୍ରମଣରେ ହଟସ୍ପଟ ଭୁବନେଶ୍ୱରରେ ଆସିଛି ସୁଧାର । ତଥାପି ଦୈନିକ ସଂକ୍ରମଣ ହଜାରେ ଉପରେ । ସଂକ୍ରମଣକୁ ଚେକ ଦେବାକୁ ଯାଇ ନିଆଯାଇଛି ଅନେକ ପଦକ୍ଷେପ । ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ୩୦୦ରେ ପହଞ୍ଚିଛି । ଅନେକ ପ୍ରତ୍ୟାହୃତ ହେବା ପରେ ଏବେ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି ।

ଭୁବନେଶ୍ୱରରେ ସକ୍ରିୟ ମାମଲା ୧୧ହଜାରରୁ ଅଧିକ ଥିବା ବେଳେ ମାତ୍ର ୪୮୨ ଜଣ ଚିକିତ୍ସିତ ହେଉଛନ୍ତି । ରେପିଡ ରେସ୍ପନ୍ସ ଟିମ ବା RRTକୁ ତ୍ୱରାନ୍ୱିତ କରାଯାଇଛି । ସେପଟେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଓ ଦାସକାଠିଆ ଭଳି ଲୋକକଳା ଜରିଆରେ ସଚେତନ କରାଯାଉଛି । ତେବେ ପାଣିପାଗ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଛି ଉଭୟ ଟେଷ୍ଟିଂ ଓ ଟିକାକରଣ । ଦୈନିକ ଟିକାକରଣ ସାଢ଼େ ୭ ହଜାରରୁ ଏବଂ ଟେଷ୍ଟିଂ ୧୦ ହଜାରକୁ ହ୍ରାସ ପାଇଛି ।

ସୁଧୁରିବାରେ ଲାଗିଛି କ୍ୟାପିଟାଲ ହସ୍ପିଟାଲର ସ୍ଥିତି । ସଂକ୍ରମିତ ଡାକ୍ତର ଓ ଅନ୍ୟ କର୍ମଚାରୀ ସୁସ୍ଥ ହୋଇ ଫେରୁଛନ୍ତି । ଟେଷ୍ଟିଂର ଶତକଡା ୩୦ ପ୍ରତିଶତ କେବଳ ପଜିଟିଭ ଚିହ୍ନଟ ହେଉଛନ୍ତି । ଏବେ ଖାଲି ରାତ୍ରିକାଳୀନ OPD ବନ୍ଦ ରହିଛି । ତଥାପି ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦଶକ । ଦିନ ଗଡ଼ିବା ସହିତ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଲହର । ଏଣୁ ସଚେତନ ସହିତ ସତର୍କ ରହିବା ଜରୁରୀ ।

Leave a Reply