ଟେଷ୍ଟିଂ ସାଙ୍ଗକୁ ଶତ ପ୍ରତିଶତ ଟିକାକରଣ ଉପରେ ବିଏମ୍‌ସିର ଗୁରୁତ୍ୱ: ବୁଲା ବିକାଳିଙ୍କ ମଧ୍ୟ ଚାଲିଛି କରୋନା ପରୀକ୍ଷା

ଭୁବନେଶ୍ୱର: ରାଜଧାନୀରେ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ବିଏମସି । ଗୋଟିଏ ପରେ ଗୋଟିଏ ବର୍ଗର ଲୋକଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ବିଏମସି ନଜରରେ ଏବେ ସହରାଞ୍ଚଳ ବାସହୀନ । ୩ ଦିନରେ ୫ଶହ ବାସହୀନଙ୍କର ହେବ ଟିକାକରଣ । ସେପଟେ ଆରମ୍ଭ ହେଲା ବୁଲା ବିକାଳୀଙ୍କ ବାଧ୍ୟତାମୂଳକ ଟେଷ୍ଟିଂ । ଟିକାକରଣରୁ ବଞ୍ଚିତ ହେବେନି କେହି । ଏବେ ବିଏମସି ନଜରରେ ସହରାଞ୍ଚଳ ବାସହୀନ । ଟିକା ସହ ଟେଷ୍ଟିଂକୁ ମଧ୍ୟ ଦିଆଯାଉଛି ପ୍ରାଥମିକତା । ହଟସ୍ପଟ ଭୁବନେଶ୍ୱରରେ ଏବେ ତଳମୁହାଁ କରୋନା ଗ୍ରାଫ୍ । ହେଲେ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ପରେ ବି ହାଟ ଓ ବଜାରରେ କମୁନି ଭିଡ଼ । ତେଣୁ ସଂକ୍ରମଣ ବଢିବା ନେଇ ସୃଷ୍ଟି ହୋଇଛି ଆଶଂକା । ଚେକ ଦେବାକୁ ବିଏମସି ଆରମ୍ଭ କରିଛି ବୁଲା ବିକାଳୀଙ୍କ ଅନସ୍ପଟ ବାଧ୍ୟତାମୂଳକ ଟେଷ୍ଟିଂ । ମୋବାଇଲ ଭ୍ୟାନ ମାଧ୍ୟମରେ ବଜାର ବଜାର ବୁଲି କରାଯିବ ଟେଷ୍ଟିଂ । ବିଏମସିର ନର୍ଥ ଯୋନ ଅନ୍ତର୍ଗତ ଅସ୍ଥାୟୀ ତାରିଣୀ ବଜାରରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଡ୍ରାଇଭ । ସେପଟେ ସହରାଞ୍ଚଳ ବାସହୀନଙ୍କୁ ଚିହ୍ନଟ କରି ସେମାନଙ୍କ ଟିକାକରଣକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ୭ଟି ସହରାଞ୍ଚଳ ବାସହୀନ ଥଇଥାନ କେନ୍ଦ୍ରରେ ୫ଶହ ବସହୀନଙ୍କୁ ୩ଦିନ ମଧ୍ୟରେ ଟିକାକରଣ କରାଯିବ । କୋଉଇନ ଅପର ସ୍ବତନ୍ତ୍ର ସେସନ ଜରିଆରେ ଏହି ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କର କରାଯାଉଛି ଟିକାକରଣ । ପରିଚୟପତ୍ର ନଥିବାରୁ ଟିକାକରଣରୁ ବାଦ ପଡିଥିଲେ ବାସହୀନ । ତେଣୁ ସମସ୍ୟାର ସମାଧାନ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ନିକଟରେ ସମସ୍ତ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଆଜି ସମସ୍ତଙ୍କର ଟିକାକରଣ ସମ୍ଭବପର ହୋଇଛି । ସେପଟେ ଆବଶ୍ୟକତା ଦୃଷ୍ଟିରୁ ବଜାରକୁ ଲୋକେ ଆସୁଥିଲେ ବି ମନରେ ଥିଲା ସଂକ୍ରମଣର ଭୟ । ତେଣୁ ବିଏମସି ପକ୍ଷରୁ ବୁଲାବିକାଳୀଙ୍କ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବା ନିଶ୍ଚିତ ପକ୍ଷେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ଟିକାର ଅଭାବ ସତ୍ତ୍ୱେ ବିଭିନ୍ନ ତଥା ଅବହେଳିତ ବର୍ଗଙ୍କ ପାଇଁ ବିଏମସିର ଏଭଳି ପଦକ୍ଷେପ ରାଜ୍ୟବ୍ୟାପୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କରୋନାର ତୃତୀୟ ଲହର ଅଧିକ କ୍ଷତି କରିବ ନାହିଁ: ଡାକ୍ତର ନିରୋଜ ମିଶ୍ର

Leave a Reply