ସାମାଜିକ ଦୂରତାକୁ ଫୁ: ଫୁଟବଲ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ

କୋରାପୁଟ: କରୋନାରେ ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ କେମିତି ଏହାର ମୁକାବିଲା ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ସରକାର । କିନ୍ତୁ ଏଭଳି ପରିସ୍ଥିତିରେ ଲୋକେ କିଛି ବୁଝିବାକୁ ନାରାଜ । ଆଉ ଏହି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଲୋକଙ୍କ ଭିଡ଼ ଉପରେ କଟକଣା ଲାଗିଛି କିନ୍ତୁ କୋରାପୁଟର ଏକ ଘଟଣା ସବୁ କଟକଣାକୁ ଫୁ କରିଛି । ସମସ୍ତଙ୍କ ଅଜାଣତରେ ସେଠାରେ ଆୟୋଜିତ ହୋଇଛି ୭ ଦିନର ଫୁଟବଲ୍ ମ୍ୟାଚ୍ ।

କୋରାପୁଟରେ ଆୟୋଜିତ ଫୁଟବଲ୍ ମ୍ୟାଚ୍ ଓ ମେଲୋଡି କାର୍ଯ୍ୟକ୍ରମ କାହା ଅନୁମତିରେ ହୋଇଛି । କିଏ ସପ୍ତାହେ ଧରି ମ୍ୟାଚ୍ ଓ ମେଲୋଡି ପରି ମସ୍ତିର ଆୟୋଜନ ପାଇଁ ଅନୁମତି ଦେଲା ତାକୁ ନେଇ ଆରମ୍ଭ ହେଲା ତନାଘନା । କୋରାପୁଟ ଏସପି ମୁକେଶ କୁମାର ଭାମୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ କୋଭିଡ ସଂକଟ ସମୟରେ କୋରାପୁଟ ଲମତାପୁଟରେ ସପ୍ତାହେ ଧରି ଆୟୋଜିତ ହୋଇଥିଲା ଫୁଟବଲ ମ୍ୟାଚ୍ ଓ ମେଲୋଡି । ସାମାଜିକ ଦୂରତା ଭୁଲି ମେଲୋଡି ମସ୍ତିରେ ଝୁମିଥିଲେ ଶହଶହ ଦର୍ଶକ । ତାସାଙ୍ଗକୁ ମ୍ୟାଚ ଦେଖିବାକୁ ଲାଗିଥିଲା ଖଚାଖଚ ଭିଡ । ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ନା ପୋଲିସ ନା ପ୍ରଶାସନ କେହି ରୋକ୍ ଲଗାଇପାରିନଥିଲେ ।

 

କେବଳ ସେତିକି ନୁହେଁ ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଅତିଥି ଭାବେ ସେଠାରେ ଯୋଗ ଦେଇଥିଲେ । ଯାହାକୁ ନେଇ ଏବେ ପୋଲିସର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛି ପ୍ରଶାସନ । ହେଲେ ଏହି ସମୟରେ ନା ଲୋକ ସଚେତନ ହେଉଛନ୍ତି ନା ପୋଲିସ ପ୍ରଶାସନ ଏଥିପ୍ରତି ନିଘା ଦେଉଛି ।

Leave a Reply