କୁମ୍ଭ ମେଳାରେ କୋଭିଡ୍ ନିୟମ ଉଲଙ୍ଘନ, ଅନେକ ସାଧୁ ପଜିଟିଭ ଚିହ୍ନଟ

ହରିଦ୍ୱାର: ଦୀର୍ଘ ୧୧ ବର୍ଷ ପରେ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଗତକାଲି ହର କି ପୌରୀ ଘାଟରେ ଗଙ୍ଗା ଆଳତି କରିବା ପରେ ଶହ ଶହ ସାଧୁ ସନ୍ଥ ସାହି ସ୍ନାନରେ ଭାଗ ନେଇଥିଲେ। ମହାଦେବଙ୍କ ମନ୍ତ୍ର୍ରୋଚ୍ଚାରଣ ସହ ବୁଡ଼ ପକାଇଛନ୍ତି। ତେବେ ଆଜି ଏହି ପବିତ୍ର ମେଳାର ଦ୍ୱତୀୟ ସାହି ସ୍ନାନ। ଆଜି ମଧ୍ୟ ଶହ ଶହ ସାଧୁସନ୍ଥ ବୁଡ଼ ପକାଇଛନ୍ତି। ହେଲେ ଏହା ଭିତରେ କରୋନା କଟକଣାକୁ ଉଲଙ୍ଘନ କରାଯାଇଛି ।

ଚଳିତବର୍ଷ କରୋନା ପାଇଁ ଅନେକ କଟକଣା ମଧ୍ୟରେ କୁମ୍ଭ ମେଳା ଆୟୋଜିତ ହୋଇଛି। ହରିଦ୍ୱାରରେ ପହଞ୍ଚିବା ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ରହିଛି। ତେବେ ଅନେକ ସାଧୁସନ୍ଥଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ମଧ୍ୟ ଏଠି କଟକଣାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ ପୋଲିସ କରୋନା କଟକଣା ପାଳନ କରାଇବାରେ ଅକ୍ଷମ ରହିଛି ।

ନା ମାସ୍କ ନା ସାମାଜିକ ଦୂରତା:

ମେଳାରେ ଭିଡ଼ ଯୋଗୁ ଏଠି କୋଭିଡ ପ୍ରଟୋକଲ ଉଲଙ୍ଗନ ହେଉଥିବା ଦେଖିବାକୁ ମିଳିଛି । ଏଠି ନା କାହା ମୁହଁରେ ମାସ୍କ ଦେଖିବାକୁ ମିଳିଛି ନା ସାମାଜିକ ଦୂରତା। କୁମ୍ଭମେଳା ଆଇଜି ସଞ୍ଜୟ ଗୁଜ୍ଜାଲଙ୍କ କହିବା ଅନୁଯାୟୀ ପ୍ରଥମେ ସମସ୍ତ ଆଖଡ଼ା ଗୁଡ଼ିକୁ ସ୍ନାନର ଅନୁମତି ଦିଆଯାଇଥିଲା । ଏହାପରେ ସକାଳ ୭ଟାରୁ ସର୍ବସାଧାରଣକୁ ସ୍ନାନ କରିବାର ଅନୁମତି ଦିଆଯାଇଛି । ତେବେ ଲୋକମାନଙ୍କୁ ଲଗାତାର ଭାବେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଅପିଲ କରାଯାଉଛି ହେଲେ ଭିଡ଼ ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ । ଯଦି ସାମମାଜିକ ଦୂରତା ବାଧ୍ୟତାମୂଳକ କରାଯାଏ ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ ।

କୁମ୍ଭମେଳାର ସାହି ସ୍ନାନର ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡରେ କରୋନା ଭୟାନକ ରୂପ ଦେଖାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୩୩୩ ଟି ନୂଆ ପଜିଟିଭ ମାମଲା ଆସିଥିବାବେଳେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ହର କି ପୌରୀ ଘାଟରେ ସ୍ନାନ ପୂର୍ବରୁ ରବିବାର ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply