ବିଶ୍ୱର ୯୫ଟି ଦେଶ ଫାଇଜର କରୋନା ବଟିକା ଉତ୍ପାଦନ ଓ ବିକ୍ରି କରିପାରିବେ

1 min read

ନୂଆଦିଲ୍ଲୀ: ବିଶ୍ୱର ୯୫ଟି ଦେଶ ଉତ୍ପାଦନ କରିପାରିବେ କରୋନା ବଟିକା । ଏ ନେଇ ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର ଏବଂ ୟୁନାଇଟେଡ ନେସନର ଗ୍ରୁପ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ପରେ ଅନ୍ୟ ଔଷଧ ଉତ୍ପାଦନକାରୀ କମ୍ପାନୀ ଫାଇଜରର ଏହି ପରୀକ୍ଷାମୂଳକ କରୋନା ବଟିକାର ଉତ୍ପାଦନ କରିପାରିବେ । ଏହା ଦ୍ୱାରା ବିଶ୍ୱର ଅର୍ଦ୍ଧାଧିକ ଲୋକେ କରୋନା ବଟିକା ପାଇପାରିବେ ।

ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ । ଏହି ଚୁକ୍ତିକୁ ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି । ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ । ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ । ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି ।

ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍ । ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ । କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି ।

ତେବେ ଚୁକ୍ତି ଅନୁଯାୟୀ ଫାଇଜର କରୋନା ବଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ କୌଣସି ପ୍ରକାର ରୟାଲଟି ଆଦାୟ କରିବନାହିଁ । ଗରିବ ରାଷ୍ଟ୍ରଗୁଡ଼ିକ ସମେତ ଚୁକ୍ତିରେ ସାମିଲ ହୋଇଥିବା  ଅନ୍ୟ ରାଷ୍ଟ୍ରଗୁଡ଼ିକ ଠାରୁ  ମଧ୍ୟ ରୟାଲଟି ଗ୍ରହଣ କରିବନାହିଁ ।

ଏଥିସହିତ ପଢ଼ନ୍ତୁ: ଧନୀ-ଗରିବ ଭେଦଭାବ ଦୂରକଲା ନିରୀହ ଶିଶୁ

Leave a Reply