ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ, ଫାଇନ୍ କାଟିଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଘଂନ କରି ଚାଲିଥିଲା ବାହାଘର ଭୋଜି। ଖବର ପାଇ ହଠାତ ଭୋଜି ପାଖରେ ପହଞ୍ଚିଥିଲେ ତହସିଲଦାର ଓ ଥାନା ଅଧିକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ।

ସୂଚନା ଅନୁଯାୟୀ, ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କର ଗତ ୮ ତାରିଖରେ ବାହାଘର ହୋଇଥିବା ବେଳେ ଆଜି ସେମାନେ ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ର ଖବର ପାଇ ଭୋଜି ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ।

ଭୋଜି ସ୍ଥଳରେ ପହଁଞ୍ଚିବା ପରେ ପାଖାପାଖି ୨୦୦୦ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଚିକେନ, ଭାତ, ଡାଲି, ତରକାରି, ପାଏସ, ଖଟା ପ୍ରଭୁତି ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଥିଲା । ଏମିତିକି ୮୫୦୦ ଟଙ୍କା ଫାଇନ ଆଦାୟ ମଧ୍ୟ କରାଯାଇଛି।

ତେବେ ଏଥିଯୋଗୁଁ ଗାଁରେ ସଂକ୍ରମଣ ଆଶଙ୍କା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଅପରପକ୍ଷେ ଆଗାମୀ ଦିନରେ ଏଭଳି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

Leave a Reply