spot_img

Latest Posts

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ବିହୀନ ଦର୍ଶନ ଆରମ୍ଭ

ପୁରୀ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ବିହୀନ ଦର୍ଶନ ବ୍ୟବସ୍ଥା। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ଏସ୍ପି , ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। କିଭଳି ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ଯାଞ୍ଚ କରିବା ସହ ଭକ୍ତଙ୍କ ଆଗମନକୁ ନଜରରେ ରଖି କିଭଳି ସମସ୍ଥ ପଦକ୍ଷେପ ନିଆଯିବ ସେନେଇ ତଦାରଖ କରୁଛନ୍ତି। ସେପଟେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ବେଶ। ଏହାକୁ ଶ୍ରୀମୁଖ ସିଂହାର ନୀତି ମଧ୍ୟ କୁହାଯାଏ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ମଧ୍ୟରେ ବିଶେଷ ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ସମୟରେ ସାଧାରଣ ଦର୍ଶନ ୪ଘଣ୍ଟା ପାଇଁ ବନ୍ଦ ରହିବ।

ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Latest Posts

Don't Miss