ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ରୋଗୀ ଏବଂ କୋଭିଡ୍‌ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

CM Naveen

କୋଭିଡ୍‌ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନଲାଇନ୍ ଏଣ୍ଟ୍ରିର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହା ସହିତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ ଟେଷ୍ଟ  କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟ୍‌ସ୍ପଟ୍‌ ସହର ମାନଙ୍କରୁ ଯେପରି କମ୍‌ ସଂଖ୍ୟାରେ ଟ୍ରେନ୍‌ ଓ ବିମାନ ଆସିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗତ ଜୁନ୍‌ ୨୯ ତାରିଖ ଦିନ ହୋଇଥିବା ସମୀଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍‌ ପରିଚାଳନା ପାଇଁ ଏକ ନବସୂତ୍ରୀ ପରାମର୍ଶ ଦେଇଥିଲେ । ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟର ପ୍ରତି ପଞ୍ଚାୟତରେ ଗ୍ରାମ କଲ୍ୟାଣ ସମିତି ସ୍ତରରେ ୪୭,୬୧୩ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି । ସେହିପରି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ୪୯, ୨୧୮ ଶଯ୍ୟା ବିଶିଷ୍ଟ ୫,୪୮୦ କୋଭିଡ୍‌ ଗୃହ ସ୍ଥାପନ କରାଯାଇଛି । ଏହା ସହିତ ୩୭,୯୯୮ ଶଯ୍ୟା ବିଶିଷ୍ଟ ୧,୧୦୫ଟି ଟିଏମସି କ୍ଲଷ୍ଟର ମଧ୍ୟ କାର୍ଯ୍ୟ କରୁଛି ।

Corona Medicine

୧୧୪ଟି ପୌରାଞ୍ଚଳରେ ୨୦୩୫ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ୫,୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଗୃହ ମଧ୍ୟ ସ୍ଥାପନ କରାଯାଇଛି । ଏହା ସହିତ ୫୮,୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି TMC କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।

ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୩ ଲକ୍ଷରେ ପହଞ୍ଚିଥିବା ବେଳେ କେବଳ RMRC ଦ୍ୱାରା ଏକ ଲକ୍ଷ ଟେଷ୍ଟ କରାଯାଇଛି । ମାର୍ଚ୍ଚ ମାସରେ ରାଜ୍ୟରେ କେବଳ RMRCରେ ପରୀଷା କରାଯାଉଥିବା ବେଳେ ବର୍ତ୍ତମାନ ୧୯ଟି ଲାବୋରେଟୋରୀରେ ପରୀକ୍ଷା କରାଯାଉଛି । ଆଗାମୀ ଦିନରେ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କେନ୍ଦୁଝରଠାରେ ମଧ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯଇଛି । ପୁରୀ, ଭୁବନେଶ୍ୱର ଓ ଗଞ୍ଜାମରେ ସେରୋଲୋଜିକାଲ ଟେଷ୍ଟ । ଏବଂ ଗଞ୍ଜାମକୁ ଆଣ୍ଟିଜେନ ଟେଷ୍ଟ ପାଇଁ ଅଧିକ କିଟ୍‌ ପଠାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୨୬ ହଜାର ଶଯ୍ୟା ଥିବା ବେଳେ ବର୍ତ୍ତମାନ ୩,୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ କୋଭିଡ୍‌ ଗୃହରେ ରଖି ଚିକିତ୍ସା ସେବା ଯୋଗାଇ ଦେବା ଏବଂ କେବଳ ଗୁରୁତର ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ପର୍କରେ ଅଧିକ ବିଚାର ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟ ପରେ ହିଁ ଜରୁରୀ ଶଲ୍ୟ ଚିକିତ୍ସା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସାମାଜିକ ଦୂରତା ଓ ମାସ୍କର ବ୍ୟବହାର କୋଭିଡ୍‌ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ସରକାରୀ କାର୍ଯ୍ୟଗୁଡିକୁ ଜିରୋ ଇନଫେକ୍ସନ୍ ଜୋନ୍ କରିବା ପାଇଁ ନିଆଯାଇଥିବା ପଦକ୍ଷେପ, କୋଭିଡ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

FILE

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହା ନିର୍ଦ୍ଦେଶକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ଯୋଗ ଦେଇଥିଲେ ।

(ଭୁବନେଶ୍ୱରରୁ ଅଜିତ ଦାସ)

Leave a Reply