ଲକ୍‌ଡାଉନ୍‌ରେ କିସ୍ତି ଛାଡ଼ ସୁବିଧା ନେଉଛନ୍ତି କି ? ଦେବାକୁ ପଡ଼ିବ ବଡ଼ ପାଉଣା ! ଜାଣିଲେ ଉଡ଼ିବ ହୋସ୍‌…

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ଅନେକ ଲୋକଙ୍କ ରୋଜଗାର ଠପ୍‌ ହେବା ସହ ଚାକିରି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ଯେଉଁମାନେ ବ୍ୟାଙ୍କରୁ ଋଣ ନେଇଥିଲେ ସେହିମାନେ ଅଧିକ ହଇରାଣ ହୋଇଛନ୍ତି । ତେବେ ରୋଜଗାର ଠପ୍‌ ହୋଇଯାଇଥିବା ବେଳେ ଋଣ କରିିଥିବା ଲୋକମାନେ କିସ୍ତି ସୁଝିବେ କେମିତି ? କିସ୍ତି ସୁଝିବା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି ।

ମୋରେଟୋରିୟମ୍‌ ସୁବିଧା

ତେବେ ରିଜର୍ଭ ବ୍ୟାଙ୍କର ଅନୁରୋଧ କ୍ରମେ ଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ମୋରେଟୋରିୟମ୍‌ ସୁବିଧା ଦିଆଯାଉଛି । ଏହି ସୁବିଧା କାରଣରୁ ଋଣ ନେଇଥିବା ବ୍ୟକ୍ତି କିସ୍ତି ବିଳମ୍ବରେ ଦେଇପାରିବ ବା କିସ୍ତି ଟାଳିବାରେ ସକ୍ଷମ ହେବ ।

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ସୁବିଧାରେ ଯୋଡ଼ିହେବା ପାଇଁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯଦି ଆପଣ ମାର୍ଚ୍ଚ ମାସରୁ ଏହି ସୁବିଧା ନେଉଛନ୍ତି, ତେବେ ଆପଣ ଏହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । ଏହାର ଅର୍ଥ ହେଉଛି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆପଣଙ୍କୁ କିସ୍ତି ଦେବାକୁ ପଡିବ ନାହିଁ । ତେବେ ଏହାର ଅର୍ଥ ନୁହେଁ ଯେ, ଆପଣଙ୍କର କିସ୍ତି ଛାଡ଼ କରାଗଲା ।

ତେବେ ସବୁଠାରୁ ବଡ଼ କଥା ହେଲା ଋଣ ଧାରକଙ୍କୁ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ବାକିଥିବା କିସ୍ତି ଦେବା ସହ ଅଧିକ ସୁଧ ଦେବାକୁ ପଡ଼ିବ ।

ମନେକର ସଚିନ୍ ନାମକ ଜଣେ ବ୍ୟକ୍ତି ଏସବିଆଇରୁ ୩୦ ଲକ୍ଷ ଟଙ୍କାର ଗୃହ ଋଣ ନେଇଛନ୍ତି ଏବଂ ୧୫ ବର୍ଷର କିସ୍ତି ବାକି ଅଛି । ଏଭଳି ସ୍ଥିତିରେ ଯଦି ସଚିନ୍ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ମୋରାଟୋରିୟମ୍‌ ସୁବିଧା ନେଉଛନ୍ତି ତେବେ ପରେ ତାଙ୍କୁ ୪.୫୪ ଲକ୍ଷ ଟଙ୍କାର ଅତିରିକ୍ତ ସୁଧ ଦେବାକୁ ପଡ଼ିବ । ଏହା ବ୍ୟାଙ୍କର ୧୬ଟି କିସ୍ତି ସହ ସମାନ ।

ସେହିଭଳି ଧରାଯାଉ କୁନ୍ଦନ ନାମକ ବ୍ୟକ୍ତି ଏସବିଆଇରୁ ୬ ଲକ୍ଷ ଟଙ୍କା ଅଟୋ ଋଣ ନେଇଛନ୍ତି । ତାଙ୍କର ୫୪ଟି କିସ୍ତି ବାକି ରହିଛି । ଏଭଳି ସ୍ଥିତିରେ ଯଦି କୁନ୍ଦନ ୬ ମାସର ଏହି ମୋରାଟୋରିୟମ ସୁବିଧା ନେଉଛନ୍ତି ତେବେ, ତାଙ୍କୁ ଅତିରିକ୍ତ ୩୬ ହଜାର ଟଙ୍କା ଦେବାକୁ ପଡିବ । କୁନ୍ଦନ ଏହାକୁ କିସ୍ତି ଭାବରେ ଦେବାକୁ ଚାହିଁବେ, ତେବେ ତାଙ୍କୁ ତିନୋଟି ଅତିରିକ୍ତ କିସ୍ତି ଦେବାକୁ ପଡିବ ।

ତେବେ ଏହା ହେଉଛି କେବଳ ଉଦାହରଣ । ବାସ୍ତବରେ ବ୍ୟାଙ୍କର ଋଣ ଓ ଅବଧି ଅନୁସାରେ ଆପଣଙ୍କ ଉପରେ ବୋଝ ବଢ଼ି ଚାଲିବ ।

Leave a Reply