ସାଂଘାଇରେ ଲକଡାଉନ୍, ସମୁଦ୍ରରେ ଜାମ୍; ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ ?

1 min read
Covid Lockdown In Shanghai Port Supply Chain Affected

ନୂଆଦିଲ୍ଲୀ: ଚୀନ୍ ଉପରେ କରୋନା ପ୍ରହାର । ଖରାପ ହୋଇ ଯାଇଛି ସାଂଘାଇର ଅବସ୍ଥା । ମାର୍ଚ୍ଚ ୨୭ରୁ ସାଂଘାଇରେ ଲକଡାଉନ୍ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଲୋକେ ଖାଇବା ପିଇବା ସାମଗ୍ରୀର ଅଭାବ ସହ ଯୁଝୁଛନ୍ତି । ଲକଡାଉନକୁ କଡ଼ାକଡ଼ି କରା ଯାଇଥିବାରୁ ସାଂଘାଇ ବନ୍ଦରରେ ହଜାର ହଜାର କଣ୍ଟେନରର ଲମ୍ବା ଧାଡ଼ି ସମୁଦ୍ରରେ ଲାଗିଛି । ସଂଖ୍ୟାଧିକ ଜାହାଜ ପାଳିକୁ ଅପେକ୍ଷା କରି ସମୁଦ୍ରରେ ରହିଛନ୍ତି । ଫଳରେ ଦୁନିଆବ୍ୟାପୀ ବିତରଣ ପ୍ରକ୍ରିୟା ଉପରେ ସୃଷ୍ଟି ହୋଇଛି ସଂକଟ ।

Covid Lockdown In Shanghai Port Supply Chain Affected

ଚୀନର ଆର୍ଥିକ ରାଜଧାନୀ ହେଉଛି ସାଂଘାଇ । ଆଉ ଏହା ମଧ୍ୟ ଦୁନିଆର ସବୁଠୁ ବ୍ୟସ୍ତବହୁତ ବନ୍ଦର । ଲକଡାଉନ୍ କଟକଣା କଡ଼ାକଡ଼ି ହେବାଠୁ ସଂଖ୍ୟାଧିକ ଜାହାଜ ବନ୍ଦରରେ ଲାଇନରେ ଅଛନ୍ତି । ସାଂଘାଇ ବନ୍ଦରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଫଳରେ ସାମଗ୍ରୀ ବିତରଣ ଓ ଲୋଡିଂରେ ବିଳମ୍ବ ହେଉଛି । ଏଥିଯୋଗୁଁ ବିଶ୍ୟବ୍ୟାପୀ ବିତରଣ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଏପରିକି ବିଳମ୍ବ ହେଲେ ଦରଦାମ ବଢ଼ିଯିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଖବର ଅନୁସାରେ, ଚୀନର ସାଂଘାଇ ବନ୍ଦର ବାହାରେ ୫ ଶହରୁ ଅଧିକ ଜାହାଜ ଫସି ରହିଛି । ଆଉ ଏସବୁ ଜାହାଜରେ ଥିବା କଣ୍ଟେନର ଅନଲୋଡ୍ କରିବାରେ ବିଳମ୍ବ ହେଉଛି । ବନ୍ଦରରେ କାମ ବନ୍ଦ ହୋଇ ନଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଅନଲୋଡିଂ ହୋଇପାରୁ ନାହିଁ । ଏପରିକି ଅନଲୋଡିଂ ହେଲେ ମଧ୍ୟ ପରିବହନ ପାଇଁ ନାହାନ୍ତି ଆବଶ୍ୟକ ଟ୍ରକ୍ ଡ୍ରାଇଭର । ପରିସ୍ଥିତି ବିଗୁଡ଼ି ଥିଲେ ବି ଲଡଡାଉନ୍ କଟକଣାକୁ ଟିକିଏ ବି କୋହଳ କରୁନାହାନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

Covid Lockdown In Shanghai Port Supply Chain Affected

ପ୍ରତିବର୍ଷ ସାଂଘାଇ ବନ୍ଦରରେ ପ୍ରାୟ ୪ରୁ ୫ କୋଟି କଣ୍ଟେନରକୁ ନିୟନ୍ତ୍ରଣ କରାଯାଇଥାଏ । ଏବେ କିନ୍ତୁ ଲକଡାଉନ୍ କଟକଣା ପାଇଁ ସଂକଟ ସୃଷ୍ଟି ହୋଇଛି । ଚୀନ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି । ଖାଦ୍ୟାଭାବ ଦେଖା ଦେଇଥିବା ବେଳେ ସୁପରମାର୍କେଟରେ ଷ୍ଟକ ସରିବା ଉପରେ । ଏପରିକି ବିଭିନ୍ନ କମ୍ପାନୀ ଉତ୍ପାଦନ ବନ୍ଦ କରି ସାରିଲେଣି ।

ଭାରତ ଉପରେ ପ୍ରଭାବ ?

ବାଣିଜ୍ୟ: ଆମେରିକା ପରେ ଭାରତ ସବୁଠୁ ଅଧିକ ଚୀନ ଉପରେ ନିର୍ଭର କରେ । ୨୦୨୧ ଏପ୍ରିଲରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଭାରତ, ଚୀନ ମଧ୍ୟରେ ୭.୮୦ ଲକ୍ଷ କୋଟି କାରବାର ହୋଇଛି । ଯେଉଁଥିରେ ୬.୩୩ ଲକ୍ଷ କୋଟି ଟଙ୍କା ଆମଦାନୀ ହୋଇଥିବା ବେଳେ ୧.୪୭ ଲକ୍ଷ କୋଟି ଟଙ୍କା ରପ୍ତାନୀ ହୋଇଛି । ଯେତେବେଳେ କି ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ଓ ଚୀନ ମଧ୍ୟରେ ୬.୪୦ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା ।

Covid Lockdown In Shanghai Port Supply Chain Affected

ଔଷଧ ଶିଳ୍ପ: ସାଂଘାଇ ବନ୍ଦର ବାହାରେ ଜାହାଜଙ୍କ ଭିଡ଼ ପାଇଁ ଭାରତୀୟ ଔଷଧ ଶିଳ୍ପ ପ୍ରଭାବିତ ହୋଇପାରେ । ଔଷଧ ତିଆରିରେ ବ୍ୟବହୃତ କଞ୍ଚା ମାଲ୍ ପାଇଁ ଭାରତ ଚୀନ ଉପରେ ନିର୍ଭରଶୀଳ । ଲୋକସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଚୀନ ଠାରୁ ଭାରତ ୬୮ ପ୍ରତିଶତରୁ ଅଧିକ କଞ୍ଚାମାଲ୍ ଆମଦାନୀ କରେ । ଗୋଟିଏ ବର୍ଷରେ ଭାରତ, ଚୀନ ଠାରୁ ୧୪୬୪ କୋଟି ଟଙ୍କାର ଏପିଆଇ ଆମଦାନୀ କରିଛି ।

Covid Lockdown In Shanghai Port Supply Chain Affected

ଇଲେକ୍ଟ୍ରୋନିକ୍ସ: ଚୀନରୁ ଭାରତ ଟେଲିକମ୍ ଯନ୍ତ୍ରପାତି, କମ୍ପ୍ୟୁଟର ହାର୍ଡୱେର, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଓ ଉପକରଣ ଆମଦାନୀ କରିଥାଏ । ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରେ ଚୀନର ଦବଦବା ରହିଛି । ବିଶେଷକରି ସ୍ମାର୍ଟଫୋନ୍ ମାର୍କେଟରେ ୬୦ ପ୍ରତିଶତ ଅଂଶ ଚୀନର କମ୍ପାନୀର ରହୁଛି । ୨୦୨୦-୨୧ ବର୍ଷରେ ଭାରତ ଚୀନ ଠାରୁ ୧.୮୨ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ପାର୍ଟ୍ସ ଆମଦାନୀ କରିଥିଲା ।