ଲକ୍ଷଣ ବଦଳାଉଛି କରୋନା: ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣି ହୋଇପାରନ୍ତି ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି । ଗତ ଡିସେମ୍ବର ମାସରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ବେଳେ ଏବେ ସୁଦ୍ଧା ସାରା ଦେଶରେ ୩୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି, ୨ ଲକ୍ଷରୁ ଅଧିକ ମୃତ୍ୟୁବରଣ କଲେଣି । ପୂର୍ବରୁ କୁହାଯାଉଥିଲା କାଶ, ଛିଙ୍କ ଓ ଛେପରୁ ଏହାର ସଂକ୍ରମଣ ହୋଇଥାଏ । ଏବେ କିନ୍ତୁ ଲକ୍ଷଣବିହୀନ ଲୋକଙ୍କ ଦ୍ଵାରା ମଧ୍ୟ କରୋନା ସଂକ୍ରମିତ ହେଉଛି । ଓଡିଶାରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି ସେ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ଠାରେ କୈାଣସି ବାହ୍ୟ ଲକ୍ଷଣ ଦେଖାଯାଉନାହିଁ । ତେଣୁ ଆମକୁ ଏଭଳି ପରିବର୍ତ୍ତିତ ସ୍ଥିତି ସହ ଖାପ ଖୁଆଇବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ସରକାର । ପୂର୍ବରୁ କୁହାଯାଉଥିଲା, ଯେଉଁମାନେ ସଂକ୍ରମିତ ନୁହଁନ୍ତି ସେମାନେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । ଏବେ କିନ୍ତୁ ସମସ୍ତଙ୍କ ପାଇଁ ମାସ୍କ ଜରୁରୀ । ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସରୁଦ୍ଧ ହେବାର ଆଶଙ୍କା ରହୁଥିଲା, ଏବେ କିନ୍ତୁ ଏହି ଭୁତାଣୁ ଶରୀରର ଅନ୍ୟ ଅଂଶକୁ ମଧ୍ୟ କାବୁ କରୁଛି । ପୂର୍ବରୁ ଆକଳନ କରାଯାଉଥିଲା ଯେ, ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ତାଙ୍କୁ ଆଉ ଥରେ ହେବ ନାହିଁ । ଏବେ କିନ୍ତୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣି ଥରେ ସଂକ୍ରମିତ ହେବାର ଆଶଙ୍କା ରହୁଛି ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ଅନେକ ରାଷ୍ଟ୍ର କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛନ୍ତି । ଆମେ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛୁ । ଯେଉଁ ରାଷ୍ଟ୍ରଗୁଡିକ ସଂକ୍ରମଣ ମୁକ୍ତ ହୋଇଛନ୍ତି ସେଠାକୁ ମଧ୍ୟ ଏହି ଭୂତାଣୁ ଫେରୁଛି । ତେଣୁ କଟକଣା କୋହଳ ହେବାର ପ୍ରଶ୍ନ ଉଠୁନାହିଁ । କୋହଳ ହେଲେ ଭୟଙ୍କର ବିପଦ ସୃଷ୍ଟି ହେବ । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ୬ଟି ଦିଗକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଏସବୁ ଦିଗକୁ ପ୍ରାଥମିକତା ଦେଉଛି । ସେସବୁ ହେଲା – ପ୍ରତିଟି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପଡିବ, ସଂକ୍ରମିତ ବ୍ୟକ୍ତିଙ୍କୁ ଅଲଗା ରଖିବା, ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସୁଚାରୁ ରୂପେ କରିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଶେଷରେ ସୂଚନା, ସଶକ୍ତିକରଣ ଏବଂ ସହଯୋଗ ବଜାୟ ରଖିବା । କାରଣ ଏହି ଲଢେଇ କେବଳ ପ୍ରଶାସନ ଦ୍ଵାରା ସମ୍ଭବ ନୁହେଁ। ସମାଜକୁ ମଧ୍ୟ ନିୟୋଜିତ କରିବାକୁ ପଡିବ ବୋଲି କହିଛନ୍ତି କରୋନା ମୁଖ୍ୟ ମୁଖପାତ୍ର ।

Leave a Reply