ଓଡ଼ିଶାରେ ପ୍ରଥମ କୋଭିଡ ମୃତ୍ୟୁ ଖବର ହଜାଇଲା ନିଦ !
1 min read
ଭୁବନେଶ୍ବର : ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତକାଲି ଜଣଙ୍କ ମୃତ୍ୟୁ ଖବର ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି । କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ଖୋଜଖବର ପାଉନି ସ୍ବାସ୍ଥ୍ୟ ବିଭାଗ । ଗଣମାଧ୍ୟମରୁ ଜାଣିବା ପରେ ଘରୋଇ ମେଡିକାଲଠୁ ଆରମ୍ଭ କରି ସରକାରୀ ହସ୍ପିଟାଲ ଯାଏ ଟିମ୍ ପଠାଇ ସ୍ବାସ୍ଥ୍ୟ ବିଭାଗ କରିଛି ତନାଘନା । ହେଲେ କେଉଁଠାରୁ କୋଭିଡ ରୋଗୀଙ୍କ ମୃତ୍ୟୁ ନେଇ ସୂଚନା ମିଳୁନି । ସଂପୃକ୍ତ ବ୍ୟକ୍ତି ନିଜ ଆଡ଼ୁ ଘରୋଇ ହସପିଟାଲରେ ପରୀକ୍ଷା କରିବା ପରେ ତଥ୍ୟ ଚପାଇ ଦେଇଥିବା ନେଇ ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । କୋଭିଡ ପଜିଟିଭ ରୋଗୀଙ୍କ ତଥ୍ୟ ଲୁଚା ଯାଉଥିବାରୁ ଘରୋଇ ଓ ସରକାରୀ ହସ୍ପିଟାଲକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ତାଗିଦ କରାଯାଇଛି । ନୂଆ ରୋଗ କି ରୋଗୀ ନେଇ IDSP ସେଲକୁ ଆବଗତ କରାଇବେ ମଡିକାଲ କର୍ତ୍ତୃପକ୍ଷ । ଏହି ସେଲ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରିବ ।
ସେପଟେ ପ୍ରତି ଜିନମ ସିକୁଏନସିଂ ସହ ଓମିକ୍ରନର ନୂଆ ନୂଆ ସବ-ଭ୍ୟାରିଆଣ୍ଟ ଚିହ୍ନଟ ହେବାରେ ଲାଗୁଛି । ପ୍ରଥମ ରୋଗୀଙ୍କ ଠାରେ ଓମିକ୍ରନର ସବ ଭ୍ୟାରିଆଣ୍ଟ ଜେଏନ ଡଟ୍୧ ବାହାରିଥିବା ସ୍ପଷ୍ଟ ହୋଇଥିଲା । ହେଲେ ଆହୁରି ୫ଟି ଜିନମ ସିକୁଏନସିଂରୁ ଆଉ ଦୁଇଟି ଭିନ୍ନ ସବ-ଭାରିଆଣ୍ଟ ବାହାରିଛି । ଦୁଇଟି ମାମଲାରେ ଓମିକ୍ରନର ସବ ଭ୍ୟାଇରାଣ୍ଟ LF.9 ଓ ତିନୋଟି ମାମଲାରେ XFG ଚିହ୍ନଟ କରାଯାଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ସବ-ଭାରିଆଣ୍ଟ ପରି ଏହି ଦୁଇଟିର ବି ଲକ୍ଷଣ ରହିଛି । ଏ ନେଇ ବହୁବିଧ ରୋଗୀ ଓ ବୟସ୍କ ରୋଗୀଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ % ରୁ ଅଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୫୮ ଥିବା ବେଳେ, ଦିନକରେ ବଢିଛନ୍ତି ୩୬୩ ଜଣ ପଜିଟିଭ । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ଟପିଥିବା ବେଳେ, ମହାରାଷ୍ଟ୍ରରେ ୪୮୫, ଦିଲ୍ଲୀ ୪୩୬, ଗୁଜରାଟ ୩୨୦, ତାମିଲନାଡୁ ୧୯୯, ପଶ୍ଚିମବଙ୍ଗରେ ୨୮୭, କର୍ଣ୍ଣାଟକରେ ୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।