ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ ରାଜ୍ୟରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏକଥା ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ପ୍ରଶାସନ । ସବୁ ପ୍ରସ୍ତୁତି ଶେଷ ହୋଇଛି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ଥିତି ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଦିନେ ଦୁଇ ଦିନ ଭିତରେ କୋଭିଡ ହସ୍ପିଟାଲ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ । ତେବେ ବଡ଼କଥା ହେଲା ଏଥର କୋଭିଡରେ କାହାର ମୃତ୍ୟୁ ହୋଇନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ସେପଟେ ଭୁବନେଶ୍ବରରେ ସଂକ୍ରମଣ ବଢୁଛି । ହେଲେ ସ୍ଥିତି ଚିନ୍ତାଜନକ ନୁହେଁ । ସତର୍କ ଓ ସଚେତନ ହୋଇ କୋଭିଡ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ହେବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଲୋକଙ୍କ ସହଯୋଗ ଯୋଗୁଁ 3ଟି ଯାକ ଲହରକୁ ପ୍ରତିହତ କରାଯାଇଛି । ସଂକ୍ରମଣ ବୃଦ୍ଧି ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ହସ୍ପିଟାଲରେ ଶଯ୍ୟା ସଂଖ୍ୟା 25ରୁ 90କୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦୈନିକ ମାତ୍ର 15ରୁ16ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଟେଷ୍ଟିଂ କ୍ଷେତ୍ରରେ ଲୋକେ ଅବହେଳା କରୁଛନ୍ତି । ସମସ୍ତ ସରକାରୀ ହସ୍ପିଟାଲରେ ଟେଷ୍ଟିଂ ସୁବିଧା ଥିବାବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ଗୁରୁତର ରୋଗୀଙ୍କୁ ଅଧିକ ସଚେତନ ଓ ସତର୍କ ରହିବାକୁ ହେବ । ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଖୁବଶୀଘ୍ର ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନ ବନ୍ଦରରେ ଟେଷ୍ଟିଂ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି ବୋଲି ବିଏମସି କମିଶନର କୁଲାଙ୍ଗେ କହିଛନ୍ତି ।.