ରାଜ୍ୟରେ ବଢ଼ିଛି କୋଭିଡ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଛି । ଯେଉଁମାନେ ପ୍ରିକସନ ଡୋଜ ନେଇନାହାନ୍ତି, ସେମାନେ କିଭଳି ଶୀଘ୍ର ପ୍ରିକସନ ଡୋଜ ନେବେ, ସେଥିପାଇଁ ଚେଷ୍ଟା ଜାରି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ଏବେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର ଓ 60 ବର୍ଷରୁ ଉର୍ଦ୍ଧ୍ବ ବୟସ ବର୍ଗଙ୍କୁ ମାଗଣାରେ ଟୀକା ଦିଆଯାଉଛି । ପୂର୍ବରୁ ଦ୍ୱିତୀୟ ଡୋଜ ପରେ 9 ମାସ ବ୍ୟବଧାନରେ ପ୍ରିକସନ ଡୋଜ ଦିଆଯାଉଥିଲା । ଏବେ 6 ମାସରେ ପ୍ରିକସନ ଡୋଜ ଦେବାକୁ କୁହାଯାଇଛି । ତେଣୁ ଯେଉଁମାନେ ଯୋଗ୍ୟ ସେମାନେ ପ୍ରିକସନ ଡୋଜ ନେଇଯିବାକୁ ଅନୁରୋଧ କରାଯାଉଛି ।

ଟୀକାକରଣକୁ ତ୍ୱରାନ୍ୱିତ କରିବା ଲାଗି ହର ଘର ଦସ୍ତକ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ଫ୍ରଣ୍ଟଲାଇନ ୱାର୍କର ଘର ଘର ବୁଲି ଟୀକା ନେବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । ଏହାସହ 12ରୁ 14 ବର୍ଷ ଏବଂ 15ରୁ 17 ବର୍ଷ ବୟସ ବର୍ଗଙ୍କ ପ୍ରଥମ ଓ ଦ୍ବିତୀୟ ଡୋଜ ଟିକାକରଣ ଲାଗି ସ୍କୁଲରେ କ୍ୟାମ୍ପ କରି ଟିକାକରଣ କରାଯାଉଛି । 12ରୁ 14 ବର୍ଷ ବୟସ ବର୍ଗରେ ଏବେ 97% ପିଲା ପ୍ରଥମ ଡୋଜ ଓ 90% ପିଲା ଦ୍ୱିତୀୟ ଡୋଜ ଟୀକା ନେଇଗଲେଣି । 18 ବର୍ଷରୁ ଅଧିକ ବୟସ ବର୍ଗରେ 18 ଲକ୍ଷ, 12ରୁ 14 ବର୍ଷ ବୟସ ବର୍ଗରେ 4 ଲକ୍ଷ ଓ 15ରୁ 17 ବର୍ଷ ବୟସ ବର୍ଗରେ 4 ଲକ୍ଷ, ମୋଟ ଉପରେ 26 ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେବାକୁ ବାକି ଅଛନ୍ତି ।

ମାଗଣା ପ୍ରିକସନ ଡୋଜ ବର୍ତ୍ତମାନ ସୁଦ୍ଧା ମାତ୍ର 27% ନେଇଛନ୍ତି । ଆହୁରି 70%ରୁ ଅଧିକ ମାଗଣା ଟୀକା ନେବାକୁ ବାକି ଅଛି । ଏହାଛଡ଼ା 18ରୁ 59 ବର୍ଷ ବୟସ ବର୍ଗରେ ରାଜ୍ୟରେ ମାତ୍ର 1 ଲକ୍ଷ 20 ହଜାର ଲୋକ ପେଡ ପ୍ରିକସନ ଡୋଜ ନେଇଛନ୍ତି । ତେବେ ରାଜ୍ୟରେ ଏବେ ବର୍ତ୍ତମାନ 99% ପ୍ରଥମ ଡୋଜ, 91% ଦ୍ୱିତୀୟ ଡୋଜ ନେଇସାରିଛନ୍ତି ।