୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଛି ବୁଷ୍ଟର ଡୋଜ୍, ୯ମାସ ହୋଇଥିଲେ ନେଇ ହେବ…

ନୂଆଦିଲ୍ଲୀ: ଆଜିଠୁ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଛି ବୁଷ୍ଟର ଡୋଜ୍ । ଦ୍ୱିତୀୟ ଡୋଜ ନେବାର ୯ମାସ ହୋଇଥିଲେ ପ୍ରିକସନ ଡୋଜ୍ ନେଇ ହେବ । ପୂର୍ବରୁ କେବଳ ଫ୍ରଣ୍ଟଲାଇନ ୱାର୍କର, ହେଲଥ ୱାର୍କର ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଥିବା ବେଳେ ଆଜିଠୁ  ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରିକସନ ଡୋଜ୍ ଦିଆଯାଉଛି । ଏବେସୁଦ୍ଧା ଦେଶରେ ଅଢ଼େଇ କୋଟି ହେଲ୍ଥ କେୟାର ଓ ଫ୍ରଣ୍ଟଲାଇନ ୱାର୍କସଙ୍କୁ ବୁଷ୍ଟର ଡୋଜ୍ ଦିଆସରିଛି । ସେହିପରି ୧୨ରୁ ୧୪ ବର୍ଷୀୟ ୪୫ପ୍ରତିଶତ ପିଲାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆସରିଛି ।

ସୂଚନା ଅନୁଯାୟୀ ସାବାଳକଙ୍କ ପାଇଁ ବୁଷ୍ଟର ଡୋଜ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏଥିପାଇଁ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡିବ । ଟିକା ମୂଲ୍ୟ ଉପରେ ହିତାଧିକାରୀଙ୍କୁ ଟିକସ ଓ ଘରୋଇ ଡାକ୍ତରଖାନାଗୁଡିକ ସେମାନଙ୍କ ସେବା ନିମନ୍ତେ ଅତିରିକ୍ତ ଦେୟ ଦେବାକୁ ପଡିବ। ବୁଷ୍ଟର ଡୋଜ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ସମ୍ପର୍କରେ ସରକାର ଘୋଷଣା କରିବା ପରେ ସିରମ୍ ଇନଷ୍ଟିଚ୍ୟୁଟ୍‌ ଏହାର କୋଭିସିଲ୍ଡ ଟିକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଛି । ଟିକସ୍ ବାଦ୍‌ ଗୋଟିଏ ଡୋଜ ଟିକାର ମୂଲ୍ୟ ୬୦୦ଟଙ୍କା ରଖାଯାଇଛି । ଅନ୍ୟ ଟିକା ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ବୁଷ୍ଟର ଡୋଜ ପାଇଁ ସେମାନଙ୍କ ଟିକାର ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

ଦ୍ବିତୀୟ ପାନ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ଜଣେ ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ହିତାଧିକାରୀମାନେ ପ୍ରଥମ ଓ ଦ୍ବିତୀୟ ପାନରେ କୋଭିସିଲ୍ଡ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜରେ କୋଭିସିଲ୍ଡ ଟିକା ନେବେ। ସେହିପରି ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଘରୋଇ ଡାକ୍ତରଖାନାଗୁଡିକ ଭିନ୍ନ ଭିନ୍ନ ଟିକା ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିବେ। ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ସରକାରୀ ଡାକ୍ତରଖାନାରେ ପୂର୍ବ ପରି ମାଗଣାରେ ଉପଲବ୍ଧ ହେବ।

ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧାଙ୍କ ନିମନ୍ତେ ବୁଷ୍ଟର ପାନ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ହେବ। ବର୍ତ୍ତମାନ ସୁଦ୍ଧା ୨.୪ କୋଟି ଲୋକ ବୁଷ୍ଟର ପାନ ନେଇ ସାରିଲେଣି । ଅନ୍ୟପକ୍ଷରେ ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, କେରଳ ଓ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ​ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହିସବୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛି। ଚିଠିରେ କରୋନା ସଂକ୍ରମଣରେ ନଜର ରଖିବା ସହିତ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।