ଗଞ୍ଜାମରେ ହେବ କୋଭିଡ୍ ସଚେତନତା ସପ୍ତାହ, ଘରେ ଘରେ ପହଞ୍ଚି ମାସ୍କ ବାଣ୍ଟିବ ପ୍ରଶାସନ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି କାବୁକୁ ଆସିବା ପରେ ସରକାରଙ୍କ ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା । ପ୍ରବାସୀ ଶ୍ରମିକଙ୍କର ଗଞ୍ଜାମ ଫେରିବା ପରେ ଜିଲ୍ଲାରେ କରୋନା ସଂକ୍ରମଣର ମାତ୍ରା ବେକାବୁ ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ପରିଚାଳନାଗତ ନିଷ୍ପତ୍ତି ପରେ ଜିଲ୍ଲା ଏବେ ଏକ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ ଆଜି ଜିଲ୍ଲା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଟେତନତା ସପ୍ତାହର ଆରମ୍ଭ ହେବ । ପ୍ରଶାସନ ଘରେ ଘରେ ପହଞ୍ଚି ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣ ଓ ଭୟାବହତା ନେଇ ସଚେତନ କରିବ । କିଭଳି ସଚେତନ ରହି ଏହି ମହାମାରୀର ମୁକାବିଲା କରି ହେବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।

ପ୍ରତିଟି ଘରେ ମାସ୍କ ପହଞ୍ଚାଇବା ସହ ସେମାନଙ୍କୁ ସୁସ୍ତ ରହିବା ନେଇ ପ୍ରଶାସନ ଟିପ୍ସ ଦେବ । ସେହିଭଳି ବ୍ୟବସାୟୀମାନଙ୍କୁ ପୂର୍ବରୁ ଦିଆ ଯାଇଥିବା ପଞ୍ଚସୂତ୍ରୀ ନିୟମକୁ ପାଳନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି  । ସରକାର ଲକଡାଉନ୍ ଓ ସଟଡାଉନ୍ କଟକଣାକୁ ଉଠାଇ ସାରିଛନ୍ତି ତେଣୁ ଏବେ ସଂକ୍ରମଣ ରୋକିବା କ୍ଷେତ୍ରରେ ସାଧାରଣଙ୍କ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଲୋକେ ନିଜେ ନିଜେ ସଚେତନ ହୋଇ ସଂକ୍ରମଣ କିଭଳି ଭାବେ ନବ୍ୟାପିବ ତାହାର ଦାୟିତ୍ୱ ନିଅନ୍ତୁ ।

ଅନ୍ୟ  ପକ୍ଷରେ ଗଞ୍ଜାମରେ ଅନେକ କୋଭିଡ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏମାନେ ଚାହିଁଲେ ଅନ୍ୟ କରୋନା ସଂକ୍ରମିତମାନେ ସୁସ୍ଥ ହୋଇପାରେ । ଏସବୁ କେବଳ ଏକ ଛୋଟ ପଦକ୍ଷେପ, ଯେପରିକି ପ୍ଲାଜମା ଦାନ ଦ୍ୱାରା ସମ୍ଭବ ହୋଇପାରିବ । ଏଣୁ ଜିଲ୍ଲାରେ କରୋନା ସଂକ୍ରମଣର ସୁସ୍ଥ ହୋଇ ଫେରିଥିବା ରୋଗୀ ସ୍ୱଇଚ୍ଛାରେ ପ୍ଲାଜମା ଦାନ କରନ୍ତୁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ଯେ  ଜିଲ୍ଲା କୋର୍ଟର  କିଛି କର୍ମଚାରୀ ସଂକ୍ରମଣର ଶୀକାର ହେବା ପରେ ପ୍ରଶାସନ କୋର୍ଟକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି ।

Leave a Reply